‘କିନୁ କୋଉ’ କହିଲା ବାମନଙ୍କ ଦୁଃଖ

ଭୁବନେଶ୍ୱର,୫ା୩(ବ୍ୟୁରୋ): ବିଜ୍ଞାନ ସହିତ ଚିକିତ୍ସା ବିଜ୍ଞାନର ଆଧୁନିକୀକରଣ ସତ୍ତ୍ୱେ ବାମନମାନଙ୍କୁ ନେଇ ସମାଜରେ ଥିବା ଘୃଣ୍ୟଭାବ ଏବେ ବି ରହିଛି। ନିଜର ଶାରୀରିକ ଗଠନର ଅସମାନତା ଯୋଗୁ ସେମାନଙ୍କୁ ନିନ୍ଦା, ଭର୍ତ୍ସନା ଓ ସମାଲୋଚନାର ଶିକାର ହେବାକୁ ପଡ଼େ। ବାମନ ହୋଇ ଜନ୍ମ ହେବା, ସେମାନେ କରିଥିବା କୌଣସି ପୂର୍ବଜନ୍ମର ପାପର କର୍ମ ବୋଲି ସାଧାରଣ ଲୋକ ଭାବନ୍ତି। ହେଲେ ଶାରୀରିକ ଅସମାନତା ଥାଇ ମଧ୍ୟ ଅନ୍ୟମାନଙ୍କଠାରୁ ସେମାନେ ମାନସିକସ୍ତରରେ କୌଣସି ଗୁଣରେ କମ୍‌ ନୁହନ୍ତି। ସେହି ବାମନ ଲୋକମାନଙ୍କର ଜୀବନର ନିଷ୍ଠୁର ବାସ୍ତବତା, ଦୁଃଖ, କଷ୍ଟ, ଆଶା ଓ ସ୍ବପ୍ନର ପରିଭାଷାକୁ ନେଇ ପ୍ରସ୍ତୁତ ଅହମୀୟା ନାଟକ ‘କିନୁ କୋଉ’ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆୟୋଜିତ ‘ପୂର୍ବରଙ୍ଗ ଜାତୀୟ ନାଟ୍ୟ ଉତ୍ସବ-୨୦୨୦’ରେ ବୁଧବାର ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ଆସାମର ‘ଦ ମିରର୍‌’ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ରାଭା। ସନ୍ଧ୍ୟାରେ ଅତିଥିଭାବେ ସଂସ୍କୃତି ବିଭାଗ ଉପେଦେଷ୍ଟା ଜନ୍ମେଜୟ ଲେଙ୍କା, ନାଟ୍ୟକାର ଇଂ ଚନ୍ଦ୍ରଶେଖର ନନ୍ଦ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ମନ୍ମଥ ଶତପଥୀ, ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ମିହିର ମେହେର, ହରେନ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନାଟକର ନିର୍ଦ୍ଦେଶକ ପ୍ରବୀର ରାଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Share