Categories: ଖେଳ

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର ସମ୍ପାଦକ ଅରାତି ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଶନିବାର ସକାଳେ ସହିଦ୍‌ ନଗରସ୍ଥିତ ଏକ ହସ୍ପିଟାଲରେ ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ନିମୋନିଆରେ ପୀଡ଼ିତ ଥିଲେ। ଅରାତିଙ୍କ ବିୟୋଗରେ ଓଏସ୍‌ସିଏ ଓ ବିସିଏ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ବିବାହିତ ଅରାତି ରାଜ୍ୟ ସରକାରଙ୍କ ଓ୍ବାର୍କ୍ସ ଡିପାର୍ଟମେଣ୍ଟରୁ ଅଣ୍ଡର ସେକ୍ରେଟାରୀ ଭାବେ ଅବସର ନେଇଥିଲେ ମଧ୍ୟ ଚେସ୍‌ ପ୍ରତି ସମର୍ପିତ ରହଥିଲେ। ଚେସ୍‌ରେ ସଂସ୍କାର ପାଇଁ ଜୀବନର ଅଧିକାଂଶ ସମୟ କଟାଇଥିଲେ ମଧ୍ୟ କେବେ ଥକି ପଡ଼ି ନ ଥିଲେ ଏହି କିମ୍ବଦନ୍ତୀ କ୍ରୀଡ଼ାବିତ୍‌। ସେ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର କାର୍ଯ୍ୟକାରୀ ସଭାପତି ରହିବା ସହ ବହୁ ଉନ୍ନତମାନର ଖେଳାଳିଙ୍କୁ ଚେସ୍‌ ସିଲଟରେ ପାଠ ପଢ଼ାଇଥିଲେ। ୧୯୬୫ରୁ ୭୨ ପର୍ଯ୍ୟନ୍ତ ଅନେକଥର ରାଜ୍ୟ ଚାମ୍ପିୟନ ହୋଇଥିବା ଏହି ଚେସ୍‌ରନତ୍ ସିଭିଲ ସର୍ଭିସ ଖେଳରେ ଓଡ଼ିଶାକୁ ବହୁବାର ଜିତାଇଛନ୍ତି। ଗାର୍ଗି ମହାପାତ୍ର, ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ତାଙ୍କର ଅନ୍ୟତମ ଶିଷ୍ୟ।

Share