Categories: ଖେଳ

କିମ୍ବଦନ୍ତୀ ସ୍ପିନର ଅବ୍‌ଦୁଲ କାଦିରଙ୍କ ଦେହାନ୍ତ

କରାଚୀ/ନୂଆଦିଲ୍ଲୀ, ୭ା୯ (ପି.ଟି.)-ପାକିସ୍ତାନର ପୂର୍ବତନ ମହାନ ସ୍ପିନର ଅବ୍‌୍‌ଦୁଲ କାଦିରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ତାଙ୍କର ୪ ପୁଅ ଏବଂ ଏକମାତ୍ର ଝିଅ ପାକିସ୍ତାନର ବର୍ତ୍ତମାନ ଷ୍ଟାର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ବିବାହ କରିଛନ୍ତି। କାଦିର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୬୭ ଟେଷ୍ଟ, ୧୦୪ ଅନ୍ତର୍ଜାତୀୟ ଦିନିକିଆ ଖେଳି ମୋଟ ୩୬୮ ଉଇକେଟ ଅକ୍ତିଆର କରିଛନ୍ତି। ସେପ୍ଟେମ୍ବର ୧୫ରେ ସେ ତାଙ୍କ ୬୪ତମ ଜନ୍ମ ଦିବସ ପାଳନ କରିଥାନ୍ତେ। ଭିନ୍ନ ଅଜବ ଷ୍ଟାଇଲ ବୋଲିଂ ପାଇଁ କାଦିର ଦେଶ ଓ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ସୃଷ୍ଟି କରିପାରିଥିଲେ। ଏହି ମହାନ ବୋଲରଙ୍କ କ୍ୟାରିୟର ସହିତ ଅନେକ ସ୍ମରଣୀୟ ଘଟଣା ଯୋଡ଼ି ହୋଇଯାଇଛି। ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକରଙ୍କୁ ଯେତେବେଳେ ମାତ୍ର ୧୬ବର୍ଷ ବୟସ ହୋଇଥିଲା ସେତେବେଳେ ଏକ ପ୍ରଦର୍ଶନୀ ମ୍ୟାଚରେ କାଦିରଙ୍କ ଭଳି ବୋଲରଙ୍କ ବୋଲିଂରେ ୪ଟି ଛକା ମାରିଥିଲେ। ମ୍ୟାଚ ବେଳେ କାଦିର ତେନ୍ଦୁଲକରଙ୍କୁ ସ୍ଲେଜିଂ କରିଥାନ୍ତି। ମ୍ୟାଚ ପରେ କହିଥାନ୍ତି ଏହା ହେଉଛି ଗେମ୍‌ର ଏକ ଅଂଶବିଶେଷ। ମ୍ୟାଚ ପରେ ଏସବୁ ଭୁଲିଯିବା ଉଚିତ୍‌। କାଦିର ଅତୀତରେ ଭାରତ ଗଣମାଧ୍ୟମର ଅନ୍ୟତମ ଫେଭରାଇଟ୍‌ ଥିଲେ। ଅନେକ ଚ୍ୟାନେଲର କ୍ରିକେଟ ସମୀକ୍ଷକ ଭାବେ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ୮୦ ଦଶକରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାରମ୍ବାର ଦ୍ୱିପାକ୍ଷିକ ମ୍ୟାଚ ଖେଳାଯାଇଛି। କାଦିର ଏହାର ସୁନ୍ଦର ବିଶ୍ଳେଷଣ କରିଛନ୍ତି। ଏହି ମହାନ ସ୍ପିନ ବୋଲର ଜଣକ ଶେଷପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ନୀତିକୁ ସମାଲୋଚନା କରିଆସୁଥିଲେ। ସେ ୨୦୦୯ରେ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ମନୋନୀତ ଦଳ ଇଂଲଣ୍ଡରେ ଆଇସିସି ଟି୨୦ ବିଶ୍ୱକପ୍‌ ଜିତିଥିଲା। ୭୦ ଓ ୮୦ ଦଶକରେ ଯେତେବେଳେ ବିଶ୍ୱ କ୍ରିକେଟରେ ଫାଷ୍ଟ ବୋଲରଙ୍କ ପ୍ରଧାନ୍ୟ ଥିଲା, ସେତେବେଳେ ରିଷ୍ଟ ସ୍ପିନ କଳାକୁ ବଜାୟ ରଖିବା କାଦିରଙ୍କର ସବୁଠାରୁ ବଡ଼ ସଫଳତା ବୋଲି କ୍ରିକେଟ ପଣ୍ଡିତ ଓ ଲେଖକମାନଙ୍କର ବିଶ୍ୱାସ।

Share