Categories: ଜାତୀୟ

କିରଣ ବେଦୀଙ୍କୁ ରାକ୍ଷସ ବୋଲି କହିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୧।୧୧: ଯେବେଠାରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଭି. ନାରାୟଣସ୍ବାମୀ ଶାସନ ଭାର ଗ୍ରହଣ କଲେଣି ସେବେଠାରୁ ପୁଡୁଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କ ସହ ତାଙ୍କର ତୁତୁମେମେ ଲାଗି ରହିଛି। ଗୁରୁବାର ଲୌହମାନବୀ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ଣ୍ୟତିଥି ଅବସରରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ନାରାୟଣସ୍ବାମୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ପୁଡୁଚେରୀରେ ଜଣେ ରାକ୍ଷସକୁ ବସାଇଛନ୍ତି। ଆମ କଂଗ୍ରେସ ଶାସିତ ମନ୍ତ୍ରୀମଣ୍ଡଳ ୨୪ ଘଣ୍ଟା କାମ କରିବାକୁ ପ୍ରସ୍ତୁତ ଥିବା ବେଳେ ସେ ସବୁଥିରେ ବାଧା ସୃଷ୍ଟି କରୁଛନ୍ତି। ଗରିବଙ୍କୁ ଚାଉଳ ବାଣ୍ଟିବା ହେଉ ଅବା ପର୍ଯ୍ୟଟନ ସହ ଯୋଡି ହୋଇଥିବା ପ୍ରୋଜେକ୍ଟ ଲାଗି କେନ୍ଦ୍ର ସରକାରଙ୍କଠାରୁ ଟଙ୍କା ଆଣିବା ହେଉ। ସବୁକିଛି କିରଣ ବନ୍ଦ କରି ଦେଉଥିବାରୁ ନାରାୟଣସ୍ବାମୀ ତାଙ୍କୁ ରାକ୍ଷସ ବୋଲି କହିଛନ୍ତି। ପୁଣି ସରକାରଙ୍କ ତରଫରୁ ଯେକୌଣସି ଜନହିତକର ଯୋଜନା ଆରମ୍ଭ କରାଯାଉଛି ତାକୁ ମଧ୍ୟ କିରଣ ବନ୍ଦ କରି ଦେଉଛନ୍ତି ବୋଲି ସେ କହିଛନ୍ତି। ଏମିତିକି ସେ ମନ୍ତ୍ରୀ ଓ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସିବିଆଇର ଧମକ ଦେଉଛନ୍ତି ବୋଲି ନାରାୟଣସ୍ବାମୀ ଅଭିଯୋଗ ଆଣିଛନ୍ତି।

Share