ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍ ପବୁଦୁ ଦାସାନାୟକେଙ୍କ ସ୍ଥାନ ନେବେ। ୪୯ ବର୍ଷୀୟ ଦାସାନାୟକେ ୟୁଏସ୍ଏ କ୍ରିକେଟ ସହ ମତଭେଦ ଯୋଗୁ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଦାସାନାୟକେଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହେବାର ଥିଲା। ପରେ ତାଙ୍କ କାର୍ଯ୍ୟକାଳକୁ ଡିସେମ୍ବର ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳରେ ଆମେରିକା ବିଶ୍ୱ କ୍ରିକେଟ ଲିଗ୍ ଡିଭିଜନ ୨ରେ ହଂକଂକୁ ହରାଇ ଦିନିକିଆ ସଦସ୍ୟତା ଲାଭ କରିଥିଲା। ଦାସାନାୟକେ ଶ୍ରୀଲଙ୍କା ଓ କାନାଡା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ। ସେ କାନାଡା ଓ ନେପାଳ ଭଳି ଦଳର କୋଚ୍ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସ୍ଥାନ ନେବେ ଅନ୍ତର୍ଜାତୀୟ ସ୍ତରରେ ଭାରତ ଲାଗି ୪୯ ଟେଷ୍ଟ ଓ ୯୪ ଦିନିକିଆ ଖେଳିଥିବା ମୋରେ। ସେ ଭାରତୀୟ ଦଳର ଚୟନ କମିଟି ମୁଖ୍ୟ ଦାୟିତ୍ୱରେ ମଧ୍ୟ ଥିଲେ। ୟୁଏସ୍ଏସି ଛୋଟ ଅବଧି ଲାଗି ସୁନୀଲ ଯୋଶୀଙ୍କୁ ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିବାବେଳେ ପ୍ରବିନ ଆମ୍ରେ ଓ କିରନ ପାଓ୍ବେଲଙ୍କୁ ବ୍ୟାଟିଂ ବିଭାଗ ଦିଆଯାଇଛି। ସେହିଭଳି ଡେଭିଡ ସାକରଙ୍କୁ ଦ୍ରୁତ ବୋଲରଙ୍କ ସହ କାର୍ଯ୍ୟ କରିବେ।