କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ନିଜେ ଫସିଲେ କମିଶନର: ଯାହା ଖୁସିରେ ଦେବେ ଦିଅନ୍ତୁ କହି ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀରରେ ଦାଦନ ଚାଲାଣ ରୋକିବା ପାଇଁ ଗୋଟିଏ ପଟେ ପୋଲିସ ଅଣ୍ଟା ଭିଡିଥିବା ବେଳେ ଲାଇସେନ୍ସ କରାଇବାକୁ ନେଇ ଫାଇଦା ଉଠାଉଛନ୍ତି, ଶ୍ରମ କାର୍ଯ୍ୟାଳୟରେ ଥିବା କିରାଣୀଙ୍କଠାରୁ କମିଶନର ପର୍ଯ୍ୟନ୍ତ। ଶନିବାର ସକାଳେ କାର୍ଯ୍ୟାଳୟର କନିଷ୍ଠ କିରାଣୀ ବଲ୍ଲଭ ନାଗ ଟିଟଲାଗଡ଼ରୁ ଆସିଥିବା ଜଣେ ସର୍ଦ୍ଦାରଙ୍କ ଲାଇସେନ୍ସ କରାଇଦେବାକୁ ଟଙ୍କା ମାଗୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଠାରେ ଟଙ୍କା ନ ଦେଲେ କାମ ହୁଏନି। ହଜାର ଟଙ୍କା ଦିଅ, ଲାଇସେନ୍ସ ନିଅ ବୋଲି ସେ କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏହାପରେ ଶ୍ରମ କାର୍ଯ୍ୟାଳୟର ମୁଖ୍ୟ ଆଞ୍ଚଳିକ ଶ୍ରମ କମିଶନର ସରୋଜ କୁମାର ରଂଞ୍ଜିତୋ ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ। ହେଲେ ଏହାର ଏକ ଘଣ୍ଟା ନ ପୂରୁଣୁ କମିଶନର ନିଜେ ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଛି। ସମାନ ଘଟଣାରେ , ଏକ ହଜାର ଟଙ୍କା ଲାଞ୍ଚ ନେବା ସହ ଖୁସିବାସୀରେ ଯାହା ଦେବେ ଦିଅନ୍ତୁ ବୋଲି ହାତଯୋଡ଼ି କହୁଥିବା ଦେଖାଯାଇଛି। ଏପରିକି ଟେବୁଲ ଉପରେ ଟଙ୍କା ଦେଲା ପରେ, କାଗଜରେ ସେ ତାହାକୁ ଢାଙ୍କି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଉକ୍ତ ଭିଡିଓଟି ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଏବେ କମିଶନର, ମୁଁ ମାଗି ନ ଥିଲି। ସେ ନିଜେ ରଖି ଦେଇଥିଲେ ବୋଲି ସଫେଇ ଦେଇଛନ୍ତି। ଅପରପକ୍ଷେ ବଲ୍ଲଭ ନାଗଙ୍କୁ ନିଲମ୍ବିତ କରିଛନ୍ତି ଶ୍ରମ କମିଶନର। ହେଲେ ଆଞ୍ଚଳିକ କମିଶଡ଼ଣଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର।

Share