Categories: ରାଜ୍ୟ

କିଶୋରନଗରରେ ୪୨ ଡିଗ୍ରୀ ତାପମାତ୍ରା: ପାଣି ପାଇଁ ଜନଜୀବନ ହନ୍ତସନ୍ତ

ବଇଣ୍ଡା,୧୧।୬(ଡି.ଏନ.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଶେଷ କରି ଅନୁଗୋଳ ଜିଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କିଶୋରନଗର ବ୍ଲକରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରା ରହିଥିବାବେଳେ ଅସହ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଅପରପକ୍ଷରେ ବିଭିନ୍ନ ନଈ, ନାଳ, କୂଅ ପୋଖରୀ ଶୁଖି ଯାଇଥିବାବେଳେ ଜଳାଭାବ ଦେଖାଦେଇଛି। ପିଇବା ପାଣି ସଠିକ ଭାବେ ମିଳୁ ନ ଥିବାରୁ ସାଧାରଣ ଲୋକେ ଓ ଜୀବଜନ୍ତୁ ଡହଳବିକଳ ହେଉଛନ୍ତି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ନ ଥିବାବେଳେ ପଞ୍ଚାୟତ ପକ୍ଷରୁ ବାଟୋଇଙ୍କ ପାଇଁ ଜଳଛତ୍ର ଖୋଲାଯାଉ ନାହିଁ। ଫଳରେ ବସ ତଥା ବାଟୋଇ ଯାତ୍ରୀମାନେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୧୦ଟା ପରେ ଘରୁ ବାହାରକୁ ବାହାରି ହେଉ ନ ଥିବାବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଜଳଯୋଗାଣ ସହ ଲାଗି ରହିଥିବା ବିଦ୍ୟୁତ୍‌ କାଟକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ସାମାଜିକ କର୍ମୀ ତଥା ପରିବେଶବିତ୍‌ ମନୋଜ ମହାପାତ୍ର କହିଛନ୍ତି, ଶିଳ୍ପ, କଳକାରଖାନା, ରାସ୍ତା ଯୋଗୁ ଅନେକ ଗଛ କଟାଯାଉଛି। ସେହି ଆହାରରେ ବୃକ୍ଷରୋପଣ କରାଯାଉ ନାହିଁ। ଫଳରେ ଅଳ୍ପ ପରିମାଣରେ ବର୍ଷା ହୋଇ ଉତ୍ତାପ ବୃଦ୍ଧି ପାଉଛି।

Share