କିସିଂ ସିନ୍‌ ଅଭ୍ୟାସ କରିବାକୁ କହିଥିଲେ ନିର୍ଦ୍ଦେଶକ

ମୁମ୍ବାଇ: ଗତ କିଛିବର୍ଷ ମଧ୍ୟରେ ରାଧିକା ଆପ୍ତେ, କଳ୍‌କୀ କୋଚଲିନ୍‌ ଓ ବିଦ୍ୟା ବଲାନଙ୍କ ଭଳି ବଲିଉଡ୍‌ ଅଭିନେତ୍ରୀ ନିଜର କାଷ୍ଟିଂ କାଉଚ୍‌ ଅନୁଭବ ସମ୍ପର୍କରେ ପ୍ରକାଶ କରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡି ହୋଇଛି। ହେଟ୍‌ଷ୍ଟୋରି-୨ ଷ୍ଟାର ଜରିନ୍‌ ଖାନ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ବଲିଉଡ୍‌ ଜଗତରେ ନୂଆ ନୂଆ ପାଦ ଥାପିଥିବା ବେଳେ ଦୁଇ ଥର କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ। ଏକ କିସିଂ ସିନ୍‌କୁ ଅଭ୍ୟାସ କରିବାକୁ ଫିଲ୍ମ ନିର୍ଦ୍ଦେଶକ ତାଙ୍କୁ କହିଥିଲେ। କିନ୍ତୁ ଜରିନ୍‌ ଏହି ସିନ୍‌ ଅଭ୍ୟାସ କରିବାକୁ ମନା କରିଦେଇଥିଲେ। ସେହିଭଳି ଇଣ୍ଡଷ୍ଟ୍ରିର ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବନ୍ଧୁତ୍ୱରୁ ଅଧିକ ପ୍ରିୟ ହେବା ଲାଗି ପ୍ରସ୍ତାବ ଦେଇଥିଲେ। ଯଦି ସେ ଏପରି କରନ୍ତି ତେବେ ତାଙ୍କୁ ଆଗାମୀ ଫିଲ୍ମ କିପରି ମିଳିବ ସେନେଇ ସେ ଧ୍ୟାନ ଦେବେ ବୋଲି ଅଫର୍‌ ମଧ୍ୟ ଦେଇଥିଲେ। ହେଲେ ଏହି ଅଫର୍‌କୁ ଜରିନ୍‌ ମନା କରିଦେଇଥିଲେ। ଏଥିସହ ସେ କହିଛନ୍ତି, ଇଣ୍ଡଷ୍ଟ୍ରିକୁ ସେ ନୂଆ ଆସିଥିବା ବେଳେ ଲୁକ୍‌ସ ଓ ଓଜନକୁ ନେଇ ତାଙ୍କୁ ବହୁତ କମେଣ୍ଟ ଶୁଣିବାକୁ ମିଳିଛି। ଜରିନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଏକ କଲ୍‌ ସେଣ୍ଟରରେ କାମ କରୁଥିଲେ। ଏୟାରହୋଷ୍ଟେସ୍‌ ହେବାକୁ ଇଚ୍ଛା ଥିବା ବେଳେ ଅଧିକ ଓଜନ ଯୋଗୁ ତାଙ୍କୁ ସେଥିରେ ଯିବାକୁ ସୁଯୋଗ ମିଳି ନ ଥିଲା ବୋଲି ଜରିନ୍‌ କହିଛନ୍ତି।
ମନେପକାଇ ଦିଆଯାଇପାରେ ଯେ, ପୂର୍ବରୁ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବଲାନ ମଧ୍ୟ ଜଣେ ନିର୍ଦ୍ଦେଶକଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଥିଲେ। ସେ ଚେନ୍ନାଇରେ ଥିବା ବେଳେ ନିର୍ଦ୍ଦେଶକ ଜଣକ ତାଙ୍କୁ ଦେଖା କରିବାକୁ କହିଥିଲେ। ହେଲେ ଏକ କଫି ଶପ୍‌ରେ ଦେଖାହେବାକୁ କହିବାରୁ ସେ ତାଙ୍କୁ ହୋଟେଲ ରୁମ୍‌ରେ ଦେଖା ହୋଇ କଥା ହେବାକୁ ବାଧ୍ୟ କରିଥିଲେ ବୋଲି ବିଦ୍ୟା ପ୍ରକାଶ କରିଥିଲେ।

Share