କୀଟନାଶକ ଗନ୍ଧରେ ୨ ଭଉଣୀଙ୍କ ମୃତ୍ୟୁ

ଦିଗପହଣ୍ଡି,୨୮ା୧୨(ଡିଏନଏ)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମ ତଳସାହିରେ ରହୁଥିବା ମୋହନ ରେଡ୍ଡୀଙ୍କ ୨ ନାତୁଣୀ ଟିକିନା (୬) ଓ ସୋମା(୯)ଙ୍କର ଶୁକ୍ରବାର କୀଟନାଶକ ଗନ୍ଧରେ ମୃତ୍ୟୁ ଘଟିଛି। ଅନ୍ୟଜଣେ ଭଉଣୀ ବର୍ଷା (୧୨) ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୩ଜଣ ଅଜାଘରେ ରହି ପାଠ ପଢୁଥିଲେ।
ପ୍ରକାଶ ଯେ, ଗୁରୁବାର ଧାନ ମିଲିଂକରି ଚାଉଳ ବସ୍ତା ଘରେ ରଖାଯାଇଥିଲା। ପୋକ ନ ଲାଗିବାକୁ ଚାଉଳ ବସ୍ତାରେ କୀଟନାଶକ ସିଞ୍ଚନ କରାଯାଇଥିଲା। ଶୀତ ହେଉଥିବାରୁ ୩ ଭଉଣୀ ଟିକିନା, ସୋମା, ବର୍ଷା ରାତିରେ କବାଟ ଝରକା ବନ୍ଦକରି ଉକ୍ତଘରେ ଶୋଇଥିଲେ। କୀଟନାଶକ ଗନ୍ଧରେ ସମସ୍ତେ ଅଚେତ ହୋଇପଡିଥିଲେ। ସକାଳ ପ୍ରାୟ ୮ ଟାରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଗଁାରେ ଥିବା ଏକ କ୍ଲିନିକ୍‌କୁ ନେଇଥିଲେ। ସେଠାରେ ସୋମା ଓ ବର୍ଷା ସାମାନ୍ୟ ସୁସ୍ଥ ହୋଇଥିଲେ। ଟିକିନାଙ୍କ ଅବସ୍ଥା ଗୁରୁତର ଥିଲା। ବ୍ରହ୍ମପୁର ବଡ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜଘର ମାଟିଆ ବୋରେଇରେ ଟିକିନାଙ୍କ ମୃତଦେହ ସଂସ୍କାର କରାଯାଇଥିଲା। ଅପରାହ୍ନ ପ୍ରାୟ ୪ଟାରେ ପରିବାର ଲୋକେ ଫେରିବାବେଳେ ଟିକିନାଙ୍କ ମାଉସୀ ଝିଅ ଭଉଣୀ ସୋମାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ବର୍ଷାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଘରେ ଥିବା ଚାଉଳ ବସ୍ତା କାଢିବାକୁ ଯାଇଥିବା ପଡୋଶୀ ଉଆଳୀ ଗୌଡ ଏବଂ କୈଳାସ ଗୌଡ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସନ୍ଧ୍ୟାରେ ସେମାନେ ଘରକୁ ଫେରିଛନ୍ତି। ମୋହନ ଘରେ ତାଲା ପକାଇ ଝିଅଘର ମାଟିଆ ବୋରେଇକୁ ସପରିବାର ଚାଲିଯାଇଛନ୍ତି। ଘଟଣାକୁ ନେଇ ଗଁାରେ ନାନା କଥା ଆଲୋଚନା ହେଉଛି। କୀଟନାଶକ ଗନ୍ଧରେ ପଡୋଶୀ ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ଅଗ୍ନିଶମ ବାହିନୀ ଓ ପୋଲିସ ଏହାକୁ ନିୟନ୍ତ୍ରଣ କରିବାକୁ ପୂର୍ବତନ ସରପଞ୍ଚ ସଞ୍ଜୀବ ରେଡ୍ଡୀ ଓ ଗ୍ରାମବାସୀ ଦାବି କରିଛନ୍ତି।

Share