କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ: ଟଙ୍କା ପୈଠ ନ କରିବାରୁ ମୃତଦେହ ଛାଡ଼ିଲାନି ମେଡିକାଲ

ସମ୍ବଲପୁର,୪।୯(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାର, ଫସଲ ନଷ୍ଟ ଯୋଗୁ କୀଟନାଶକ ପିଇ ଜଣେ ଚାଷୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀ ହେଲେ ଅବଧୂତ ପ୍ରଧାନ (୫୦)।
ସୂଚନାନୁଯାୟୀ, ଅବଧୂତ ନିଜର ୮ ଏକର ଜମିରେ ଚାଷ କରିଥିଲେ। ହେଲେ ବର୍ଷା ଅଭାବରୁ ଚଳିତ ବର୍ଷ ଚାଷ ହୋଇପାରି ନ ଥିବା ବେଳେ ବ୍ୟାଙ୍କ ଓ ମହାଜନଙ୍କ ପାଖରୁ ସେ ପ୍ରାୟ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଏହାକୁ ନେଇ ଅବଧୂତ ସବୁବେଳେ ଚିନ୍ତାରେ ରହୁଥିବା ପରିବାର ଲୋକେ କହିଛନ୍ତି। ଗତ ବୁଧବାର ଅବଧୂତ କୀଟନାଶକ ପିଇ ଗୁରୁତର ହେବାପରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଇସିୟୁ ଅଭାବରୁ ତାଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ ଚିକିତ୍ସିତ ହେଉଥିବା ଘରୋଇ ମେଡିକାଲରେ ଚିକିତ୍ସା ବାବଦ ୭୪ ହଜାର ଟଙ୍କା ପୈଠ ନ କରିବାରୁ ଚାଷୀଙ୍କ ମୃତଦେହ ଛଡାଯାଇ ନ ଥିଲା। ପରେ ପୂର୍ବତନ ବିଜେଡି ଜିଲା ସଭାପତି ପ୍ରମୋଦ ରଥ ଓ ଚାଷୀମାନେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ମେଡିକାଲ ପରିସରରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ପରେ ସେମାନଙ୍କ ମଧ୍ୟର ଚୁକ୍ତି ହୋଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।