କୁଆଲାଲମ୍ପୁରରୁ ଫେରିଲେ ୩୧ ପ୍ରବାସୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଥିବାବେଳେ ଶୁକ୍ରବାର ରାତିରେ କୁଆଲାଲମ୍ପୁରରୁ ଏୟାର ଇଣ୍ଡିଆର ଏକ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ବିମାନରେ ମୋଟ୍‌ ୧୩୯ ଜଣ ଯାତ୍ରୀ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ଜଣ ଯାତ୍ରୀ ଭୁବନେଶ୍ୱରରେ ଓହ୍ଲାଇଛନ୍ତି। କୁଆଲାଲମ୍ପୁରରୁ ଏୟାର ଇଣ୍ଡିଆର ଏଆଇ ୧୩୨୭ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ସନ୍ଧ୍ୟା ୬.୫୦ରେ ଅବତରଣ କରିଥିଲା। ପରେ ୮ଟା ୨୫ରେ ବାକି ୧୦୮ ଯାତ୍ରୀଙ୍କୁ ନେଇ ବିମାନଟି ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି। ତେବେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଥରକେ ୨୦ ଜଣ ଯାତ୍ରୀ ବିମାନରୁ ଓହ୍ଲାଇ ପଞ୍ଜୀକରଣ କେନ୍ଦ୍ରକୁ ଆସିଥିଲେ। ପରେ ଟର୍ମିନାଲ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲା ଓ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି କାର୍ଯ୍ୟ କରାଯାଇଥିବାବେଳେ ପଞ୍ଜୀକରଣ ଓ ଥର୍ମାଲ ସ୍କ୍ରିନିଂ କେନ୍ଦ୍ରରେ ପ୍ରବାସୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିଥିବାର ଦେଖିବାକୁ ମିଳିଥିଲା। ଏଥିସହ ସେମାନଙ୍କ ଗମନାଗମନ ପାଇଁ ସବିଶେଷ ସୁବିଧା କରାଯାଇଥିଲା। ଯାତ୍ରୀମାନେ ବିମାନବନ୍ଦର ସମ୍ମୁଖରେ ଥିବା କ୍ୟାବ୍‌ ତଥା ନିଜ ଗାଡ଼ି ଓ ମୋ ବସ୍‌ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱର ଯିବାକୁ ଥିବା କିଛି ଯାତ୍ରୀ ମୋ ବସ୍‌ ଦ୍ୱାରା ଯାଇଥିଲେ। ତେବେ ବିମାନଯାତ୍ରୀଙ୍କ ତଥ୍ୟ ସମ୍ପୃକ୍ତ ଜିଲା ଓ ଗାଁକୁ ଜଣାଇ ଦିଆଯାଇଛି। ପ୍ରବାସୀମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପୂର୍ବରୁ କିପରି କ୍ୱାରାଣ୍ଟାଇନ୍‌ରେ ରହିବେ ସେନେଇ ଉଲ୍ଲେଖ କରିଛନ୍ତି। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ସମ୍ପୃକ୍ତ ଜିଲାର ଜିଲାପାଳ ଓ ବ୍ଲକ୍‌ ଅଧିକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟର ନେବେ। ଏଥିସହ ବିଏମ୍‌ସି ଅଞ୍ଚଳରେ ରହିବାକୁ ଥିବା ବ୍ୟକ୍ତିଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

Share