କୁଇ ସମାଜ ପକ୍ଷରୁ ଥାନା ଘେରାଉ

କ.ନୂଆଗାଁ, ୧୩।୯- କନ୍ଧମାଳ ଜିଲା କୁଇ ସମାଜ ପକ୍ଷରୁ ଗୁରୁବାର କ.ନୂଆଗାଁ ଥାନା ଘେରାଉ କରାଯାଇଥିଲା। କୁଡୁଡୁଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଏବଂ ପି.ଇ.ଟି. ଶିକ୍ଷକ ସୁଶାନ୍ତ ବଳିୟାର ସିଂ ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ପ୍ରଧାନଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସୁନୀତା ୨୬ ଅଗଷ୍ଟରେ କ.ନୂଆଗଁା ଥାନାରେ ଏତଲା ଦେଇଥିଲେ, ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଗଲା ନାହିଁ। ତେଣୁ ଚଳିତ ମାସ ୨ ତାରିଖ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ କୁଇ ସମାଜ ପ୍ରଶାସନକୁ ସମୟ ଦେଇଥିଲା। ମାତ୍ର ୧୨ ତାରିଖ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ଗୁରୁବାର କୁଇ ସମାଜ ତରଫରୁ ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ ମହିଳା ଓ ପୁରୁଷମାନେ ଗହଙ୍ଗିଆ ଯଜ୍ଞ ମଣ୍ଡପରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି କ.ନୂଆଗଁା ଉଚ୍ଚ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରୁ ଫେରି କ.ନୂଆଗଁା ଥାନା ଘେରାଉ କରିଥିଲେ। ୩ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଅଡି ବସିବା ସହ କିଛି ସମୟ ରାସ୍ତାରୋକୋ କରିଥିଲେ। ଫୁଲବାଣୀ ଡିଏସ୍‌ପି ସୂର୍ଯ୍ୟକାନ୍ତ ରାୟ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ସେ କହିଥିଲେ ସଦାଶିବ ବେହେରାଙ୍କୁ ନିଲମ୍ବିତ କରାଯାଇଛି, ପ୍ରଧାନ ଶିକ୍ଷକ ଓ ପିଇଟି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଇଓ ଏବଂ ସରକାରଙ୍କ ନିକଟକୁ ସୁପାରିଶ କରାଯାଇଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ଜିଲାର ବିଭିନ୍ନ ବ୍ଲକରୁ କୁଇ ସମାଜର କର୍ମକର୍ତ୍ତା, ପ୍ରଦୀପ କହଁର, ପୁସାରା କହଁର, ସିନାଲା ପ୍ରଧାନ, ଲିଙ୍ଗ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Share