Categories: ଗଞ୍ଜାମ

କୁକୁଡ଼ାଖଣ୍ଡିରେ ମାପ, ଓଜନ ବିଭାଗର ଚଢ଼ାଉ

ବ୍ରହ୍ମପୁର ଅଫିସ୍‌,୨୧ା୯-ଉପଜିଲାପାଳ ସିିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କ ନିର୍ଦ୍ଦେଶକ୍ରମେ ମାପ ଓ ଓଜନ ବିଭାଗ ଏବଂ ଉପଖଣ୍ଡସ୍ତରୀୟ ପ୍ରଶାସନ ପକ୍ଷରୁ ଶୁକ୍ରବାର କୁକୁଡ଼ାଖଣ୍ଡି ତହସିଲ୍‌ ଅନ୍ତର୍ଗତ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇଛି। ବିଭିନ୍ନ ପ୍ରସ୍ତୁତକର୍ତ୍ତା ଡାଲି ମିଲ୍‌ ଏବଂ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ଓଜନ ଯନ୍ତ୍ର ଏବଂ ସେମାନଙ୍କ ପାଖରେ ଥିବା ପ୍ୟାକେଟ୍‌ଗୁଡ଼ିକ ଯାଞ୍ଚ କରାଯାଇଥିଲା । ୩ ଜଣଙ୍କ ବିରୋଧରେ ମାପ ଓ ଓଜନ ନିୟମ ଖିଲାପ କରିଥିବା ଯୋଗୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୩୭ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି।
ସୁକୁଣ୍ଟାରେ ଥିବା ଗୋଟିଏ ମସଲା ପ୍ରସ୍ତୁତକାରୀ ରାଧାକୃଷ୍ଣ ଫୁଡ ପ୍ରଡକ୍ଟର ପ୍ୟାକେଟ୍‌ ଯାଞ୍ଚ ବେଳେ ସେଥିରେ ଠିକଣା, ଟେଲିଫୋନ୍‌ ନମ୍ବର ଏବଂ ଇମେଲ୍‌ ଲେଖାଯାଇ ନ ଥିଲା । ଓଜନ ଯନ୍ତ୍ର ମଧ୍ୟ ନବୀକରଣ ହୋଇ ନ ଥିଲା। ଏଣୁ ବିଭାଗ ପକ୍ଷରୁ ପ୍ୟାକେଟ୍‌ ଏବଂ ଓଜନ ଯନ୍ତ୍ର ଜବତ କରାଯାଇଥିଲା। ଅତିରିକ୍ତ ତହସିଲଦାର୍‌ କଳାକୃଷ୍ଣ ପ୍ରଧାନ, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ ଏବଂ ଭାରପ୍ରାପ୍ତ ନିରୀକ୍ଷକ ସାଗରିକା ସାବତ ଓ ମୋହନ ରାଓ ପ୍ରମୁଖ ଚଢ଼ାଉରେ ଭାଗ ନେଇଥିଲେ ।