କୁକୁଡ଼ା ଚୋରି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼: ଜଣେ ଗୁରୁତର; ୬ ଆହତ, ୨ଅଟକ

ଭଦ୍ରକ ଅଫିସ,୧୯ା୪: କୁକୁଡ଼ା ଚୋରି ସନ୍ଦେହରେ ପ୍ରଥମେ କମେଣ୍ଟମରା ଓ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଉଭୟ ପକ୍ଷର ଜଣେ ଗୁରୁତର ଏବଂ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମଞ୍ଚଳ ଥାନା ରାହାଞ୍ଜ ପଞ୍ଚାୟତର ମେଲଣପଦା ଗାଁରେ।
ସୂଚନାନୁଯାୟୀ ଗାଁର ଜନୈକ ବ୍ୟକ୍ତି ୩ଟି କୁକୁଡ଼ା ସାଇକେଲରେ ଟାଙ୍ଗି ଆଣିଥିଲେ। ପରେ ସାଇକେଲ ରାସ୍ତା ଉପରେ ରଖି କୌଣସି କାମରେ ଯାଇଥିବା ବେଳେ କୁକୁଡ଼ାଗୁଡ଼ିକୁ କୁକୁର ନେଇଥିଲା। କିନ୍ତୁ କୁକୁଡ଼ା ଆଣିଥିବା ବ୍ୟକ୍ତି କୁକୁଡ଼ାକୁ କେହି ନେଇଯାଇଥିବା ସନ୍ଦେହ କରିଥିଲେ। ପରେ ସଂପୃକ୍ତ ବ୍ୟକ୍ତି ସନ୍ଦେହରେ କେତେକ ଲୋକଙ୍କୁ ଗାଳିଗୁଲଜ କରିଥିବା ସୂଚନା ମିଳିଛ। ତେବେ ଏହି କଥାର ସମାଧାନ ହୋଇଥିଲା। ପରେ ପୁଣି ଏହି କଥାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା। ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଉଭୟ ପକ୍ଷ ଛୁରାମାଡ଼ କରିଥିଲେ। ଫଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଉଭୟପକ୍ଷର ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଶନିବାର ବିଳମ୍ବିତ ରାତିରେ ଭର୍ତ୍ତି କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛ। ତେବେ ସାଇକେଲରେ ଥିବା ୩ଟି କୁକୁଡ଼ାକୁ କୁକୁର ନେଇଯାଇଥିବା ଶୁଣିବା ପାଇଁ ମିଳିଛି ।