କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: କୁକୁଡ଼ା ବୋହିନେଲେ ଲୋକେ

ପାଟଣା,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରେଙ୍ଗାଳବେଡ଼ା ୪୯ ନଂ ଜାତୀୟ ରାଜପଥ ନିକଟ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବ୍ରଏଲର କୁକୁଡ଼ା ବୋଝେଇ ପିକ୍‌ଅପ ଭ୍ୟାନକୁ ଶୁକ୍ରବାର ସକାଳୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ କୁକୁଡ଼ା ବୋଝେଇ ପିକ୍‌ଅପଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ କୁକୁଡ଼ା ବୋଝେଇ ଭ୍ୟାନରୁ କୁକୁଡ଼ାଗୁଡିକୁ ସ୍ଥାନୀୟ ଲୋକେ ବୋହି ନେଉଥିବାର ଦେଖାଯାଇଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି।