Categories: ଗଞ୍ଜାମ

କୁକୁଡ଼ା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ କୋର୍ଟଚାଲାଣ

ଶଙ୍କରାଖୋଲ,୧୫ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାରେ ଗତ ସେପ୍ଟେମ୍ବର ୨୯ ତାରିଖ ରାତିରେ ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କୁକୁଡ଼ା ବ୍ୟବସାୟୀ ସୀମାଞ୍ଚଳ ସାହୁଙ୍କ ଘରୁ ଡକାୟତି କରିଥିଲେ। ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ ରବିବାର କୋର୍ଟଚାଲାଣ କିରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ରାଇକିଆ ଥାନା ପଞ୍ଚାୟତ ସାହିର ସୋନି ନାୟକ ଓ ଡିଡ୍ରବାଡିର ଲାଲୁ ଓରଫ୍‌ ସୁଧାଂଶୁ ଶେଖର ନାୟକ, ଦାରିଙ୍ଗବାଡ଼ି ଥାନା ସବେରା ଗଁାର ଦିଲୀପ କୁମାର ପ୍ରଧାନ, ବାଲିଗୁଡ଼ା ଥାନା ହାଟପଦା ସାହିର ଟୁକୁନା ଓରଫ୍‌ ପ୍ରତିରଞ୍ଜନ ଦିଗାଳ। ଏମାନଙ୍କଠାରୁ ୪ ହଜାର ଟଙ୍କା, ୨ ବାଇକ୍‌, ୬ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ଟିକାବାଲି ଥାନା ଛଡ଼ା ଭୁବନେଶ୍ୱର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲାର ବିଭିନ୍ନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ମାମଲା ଥିବା ସ୍ଥାନୀୟ ଆଇଆଇସି ଆଦିତ୍ୟ କୁମାର ସେଠୀ କହିଛନ୍ତି। ଉକ୍ତ ଘଟଣାରେ ପୂର୍ବରୁ ୨ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ୭ଜଣ ଦୁବୃର୍ତ୍ତ ୩ଟି ବାଇକ୍‌ରେ ଆସି ୧୫୭ନଂ. ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲରେ ପହଞ୍ଚତ୍ ହୋଟେଲ ମାଲିକଙ୍କ ସହ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହୋଟେଲ ଆରପଟ ସୀମାଞ୍ଚଳଙ୍କ ଘରକୁ ଯାଇଥିଲେ। ସେଠାରେ ୨ଲକ୍ଷ ଟଙ୍କା ୩ଟି ଏଟିଏମ୍‌ କାର୍ଡ ଓ ୨ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ଏହି ଘଟଣାରେ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଆଇଆଇସିଙ୍କ ନେତ୍ୱତ୍ୱରେ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରି ଟିକାବାଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।