କୁକୁଡ଼ା ମାଂସ, ଅଣ୍ଡା ଖାଇବା ନିରାପଦ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ମନୁଷ୍ୟକୁ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପୁଥିବା ନେଇ ଅନେକ ଗୁଜବ ଓ ମିଛ ଖବର ପ୍ରଚାରିତ ହେଉଛି। ଏହାକୁ ବିଶ୍ୱାସ ନ କରିବାକୁ ରବିବାର ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରତ୍ନାକାର ରାଉତ କହିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ହିଁ କରୋନା ଭୂତାଣୁ ବ୍ୟାପିବାର ପ୍ରଧାନ କାରଣ। ଯଦିଓ ପ୍ରାଣୀମାନେ କରୋନା ଭୂତାଣୁର ଉତ୍ସ ଭାବେ କାର୍ଯ୍ୟ କରୁଥାଇପାରନ୍ତି, କିନ୍ତୁ ଏହା ମନୁଷ୍ୟରୁ ମନୁଷ୍ୟ ଶରୀରକୁ ବ୍ୟାପିଥାଏ ବୋଲି ବିଶ୍ୱ ପ୍ରାଣୀସ୍ବାସ୍ଥ୍ୟ ସଙ୍ଗଠନ ପ୍ରକାଶ କରିଛନ୍ତି। କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟ କୁକ୍କୁଟଜାତୀୟ ପଦାର୍ଥ ଖାଦ୍ୟରେ ଗ୍ରହଣ କରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହେବାର ଏଯାବତ୍‌ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ସାରା ବିଶ୍ୱରେ ମଧ୍ୟ ଏହାର କୌଣସି ନଜିର ନାହିଁ। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ ବୋଲି କୁହାଯାଇପାରିବ। କିନ୍ତୁ କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକ୍କୁଟଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିବା ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ନିୟମିତ ବ୍ୟବଧାନରେ ସାବୁନ୍‌ରେ ହାତ ଧୋଇବା, ଆଲ୍‌କୋହଲଯୁକ୍ତ ଦ୍ରବଣ ହାତରେ ଘଷିବା, କୁକୁଡ଼ା ମାଂସ ଓ ଅଣ୍ଡା ରହିବା ସ୍ଥାନକୁ ସଫାସୁତୁରା ରଖିବା, କଞ୍ଚା କୁକୁଡ଼ା ମାଂସକୁ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟଠାରୁ ଅଲଗା ରଖିବା ଏବଂ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବା ଉଚିତ ବୋଲି ରାଉତ ପରାମର୍ଶ ଦେଇଛନ୍ତି।

Share