କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର

ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଓଲଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଥିବାବେଳେ ୬ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ୨ ଦିନ ବ୍ୟାପି କେ.ବଲାଙ୍ଗ ଥାନା ଅନ୍ତର୍ଗତ ତାଲଡିହଠାରେ ବେନିୟମ ଭାବେ କୁକୁଡା ଲଢ଼େଇ ଚାଲିଥିଲା । ଚୋରଧରା ତଥା ଆଖ ପାଖ ଅଞ୍ଚଳର ଲୋକମାନେ କୁକୁଡା ଲଢ଼େଇ କରିବା ସହିତ ଦେଖିବା ପାଇଁ ଯାଇଥିଲେ। ଗୁରୁବାର ସନ୍ଧ୍ୟା ସାଢେ ୬ଟା ବେଳେ ତାଲଡିହରୁ ଏକ ଖାଲି ଟିପ୍ପର ଓଆର ୧୪ ଆର- ୮୩୨୨ ଯୋଗେ ଚୋରଧରା ପଟକୁ ଫେରୁଥିଲେ। ଚୋରଧରା ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ପାଖରେ ଟିପ୍ପର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ଟିପ୍ପର ଡାଲା ତଳେ ଚାପିହୋଇ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ମଞ୍ଚାବେଡା ଗ୍ରାମର ରାମଧନ ସିଂ (୪୬), ଚୋରଧରା ଗ୍ରାମର ପ୍ରଧାନ ମୁଣ୍ଡା (୪୫), ଚଇତୁ ମୁଣ୍ଡା (୪୯) ବୋଲି ଜଣାପଡିଛି । ଗୁରୁତର ଆହତ ଆଜାଦ ସିଂ (୧୪) ବଣାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ବେଳେ ୬ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । କେ.ବଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଗାଡି ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

Share