Categories: ଫୁରସତ

କୁକୁରର ଜୀବନ ବଞ୍ଚାଇଲେ ଡାକ୍ତର, ଧନ୍ୟବାଦ ଦେବାକୁ ମାଲିକ ଖର୍ଚ୍ଚ କଲେ ୪୨ କୋଟି

ଓ୍ବାଶିଂଟନ୍‌: ପୋଷା ଜୀବଜନ୍ତୁ ଅନେକ ସମୟରେ ମାଲିକଙ୍କ ଜୀବନ ରକ୍ଷା କରିଥିବା ଉଦାହରଣ ରହିଛି। ସେହିପରି ମାଲିକମାନେ ମଧ୍ୟ ପାଳିତ ପଶୁପକ୍ଷୀଙ୍କୁ ବହୁତ ସ୍ନେହ ଆଦର ଦେଇ ଘରେ ପାଳିଥାନ୍ତି। ଏପରିକି ସେମାନଙ୍କର ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଡେଭିଡ୍‌ ମୈକଲିନ୍‌ଙ୍କ କ୍ଷେତ୍ରରେ। ଡେଭିଡ୍‌ ଜଣେ କାର୍‌ ଆସେସରିଜ୍‌ କମ୍ପାନୀର ସିଇଓ। ତାଙ୍କ ପୋଷା କୁକୁର ସ୍କାଉଟ୍‌ର ଦେହ ଖରାପ ଥିଲା। ଡେଭିଡ୍‌ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର କୁକୁରର ସ୍ବାସ୍ଥ୍ୟ ପରୀକ୍ଷା କରି କ୍ୟାନସର ହୋଇଥିବା କହିଥିଲେ। ଆଉ ବେଶିଦିନ ବଞ୍ଚିବ ନାହିଁ ବୋଲି ଡେଭିଡ୍‌ଙ୍କୁ କହିଥିଲେ। କିନ୍ତୁ ଡେଭିଡ୍‌ ସ୍କାଉଟ୍‌କୁ ଆଦୌ ହରାଇବାକୁ ଚାହୁଁ ନ ଥିଲେ। ତେଣୁ ସେ ‘ ଦ ୟୁନିଭରସିଟି ଅଫ୍‌ ଉଇକ୍‌ନେସ୍‌ ସ୍କୁଲ୍‌ ଅଫ୍‌ ଭେଟନାରୀ ମେଡିସିନ’କୁ ଚିକିତ୍ସା ପାଇଁ ନେଇଗଲେ। ଏଠାରେ ଡାକ୍ତର ସ୍କାଉଟ୍‌ର କେମୋଥେରାପି, ରେଡିଏଶନ୍‌ ଥେରାପି ଏବଂ ଇମ୍ୟୁନୋଥେରାପି କରିଥିଲେ। ପରେ ବ୍ଲଡ୍‌ ଭେସେଲ୍‌ସରେ ହୋଇଥିବା ଟ୍ୟୁମରକୁ କାଢ଼ି ଦେବାରୁ ସ୍କାଉଟ୍‌ ଠିକ୍‌ ହୋଇଗଲା।

ଡାକ୍ତରଙ୍କ କଠିନ ପରିଶ୍ରମ ଯୋଗୁ ଡେଭିଡ୍‌ଙ୍କ କୁକୁର ନୂଆ ଜୀବନ ପାଇଲା। ତେଣୁ ସେ ଡାକ୍ତରଙ୍କୁ ସର୍ବସାଧାରଣରେ ଧନ୍ୟବାଦ ଦେବା ପାଇଁ ବିଜ୍ଞାପନ ମାଧ୍ୟମରେ ଶହେ କି ହଜାରେ ନୁହଁ, ୪୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ବିଜ୍ଞାପନ ସେ ସୁପର ବାଉଲ୍‌ ଲିଗ୍‌ରେ ଦେଇଥିଲେ। ଏହି ଲିଗ୍‌ଟି ଆମେରିକାରେ ବହୁ ଲୋକପ୍ରିୟ ଅଟେ।

Share