କୁଜଙ୍ଗ ବଳାତ୍କାର ଘଟଣା: ୧୮ ସୁଦ୍ଧା ଅଭିଯୁକ୍ତ ଗିରଫ ନ ହେଲେ ରେଳରୋକୋ କରିବ ଭାଜପା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ନାରୀ ନିର୍ଯାତନା, ମହିଳା ଓ ନାବାଳିକା ବଳାତ୍କାର ଭଳି ନିନ୍ଦନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ରାଜ୍ୟର ବହୁଚର୍ଚ୍ଚିତ ବଳାତ୍କାର ଏବଂ ନିର୍ଯାତନା ଘଟଣାଗୁଡିକରେ ଶାସକ ଦଳର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଛି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ନେତା ବିଭୁ ପ୍ରସାଦ ତରାଇ ବୁଧବାର ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ସରକାର ‘୫-ଟି ଏବଂ ମୋ ସରକାର’କୁ ବ୍ୟବହାର କରି ‘ବଳାତ୍କାର ଏବଂ ହତ୍ୟା’ ଭଳି ଘଟଣାକୁ ଆତ୍ମହତ୍ୟାର ରୂପ ଦେଉଛନ୍ତି। ଗତ ନଭେମ୍ବର ୧୦ରେ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ପରେ ସେହି ମୃତଦେହ ତିର୍ତ୍ତୋଲ ଅଞ୍ଚଳର ବନ୍ଧବାଟୀ ରେଲୱେ ଟ୍ରାକ୍‌ ନିକଟରୁ ଉଦ୍ଧାର କରାଗଲା। ଏନେଇ ପୀଡିତାଙ୍କ ବାପା ଏତଲା ଦେଇଥିଲେ। ମାତ୍ର ଏତଲାକୁ ଗ୍ରହଣ ନ କରି ଥାନାଧିକାରୀ ଏହାକୁ ୟୁଡି କେସ୍‌ ଭାବେ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ପୀଡିତାଙ୍କ ବାପା ଏସ୍‌ପିଙ୍କୁ ଲିଖିତଭାବେ ଜଣାଇବା ପରେ ନଭେମ୍ବର ୨୪ରେ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ ହେଲା। ମାତ୍ର ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରାଯାଇନାହିଁ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆସନ୍ତା ୧୮ରେ ପାରାଦୀପ ନିକଟସ୍ଥ ବଗଦିଆଠାରେ ରେଳରୋକୋ କରାଯିବା ସହ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ତରାଇ ସୂଚନା ଦେଇଛନ୍ତି।

Share