କୁଟୁରା ମାଂସ ସହ ବନ୍ଧୁକ ଜବତ

ଖୁଣ୍ଟା, ୩୧ା୫(ଡି.ଏନ.ଏ)- ଉଦଳା ରେଞ୍ଜ ତଥା ଖୁଣ୍ଟା ବ୍ଲକ ଅଧୀନ ବଣିଆବସା ସେକ୍ସନର କମ୍ପାର୍ଟମେଣ୍ଟ ୧୨ ନେତ୍ରକୁଣ୍ଡ ନିକଟରେ ଗୁରୁବାର ଅପରାହ୍ନରେ ବନ କର୍ମଚାରୀମାନେ ଚଢ଼ାଉ କରି ୧୦ କେଜି କୁଟୁରା ମାଂସ ଓ ଏକ ଜୀବନ୍ତ ଗୁରାଣ୍ଡି ସମେତ ୨ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିଛନ୍ତି । ବଣିଆବସା ବନ କର୍ମଚାରୀମାନେ ଫରେଷ୍ଟର ରଞ୍ଜିତ ଦଣ୍ଡପାଟଙ୍କ ନେତୃତ୍ୱରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବାଘ ଗଣନା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଗୁରୁବାର କମ୍ପାର୍ଟମେଣ୍ଟ ୧୨ ନେତ୍ରକୁଣ୍ଡ ନିକଟରେ ୧୦ରୁ ଉର୍ଦ୍ଧ୍ୱ ଶିକାରୀ ଶିକାର ସାରି ଫେରୁଥିବା ବେଳେ ବନ କର୍ମଚାରୀଙ୍କ ସହିତ ମୁହଁାମୁହିଁ ହୋଇଥିଲେ। ତେବେ ଶିକାରୀ ଦଳ ଛାନିଆ ହୋଇ ତାଙ୍କ ନିକଟରେ ଥିବା ମାଂସ, ଜୀବନ୍ତ ଗୁରାଣ୍ଡି ଓ ବନ୍ଧୁକ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ବନ କର୍ମଚାରୀମାନେ ଜିଅନ୍ତା ଗୁରାଣ୍ଡିଟିକୁ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବା ବେଳେ ମାଂସ ଓ ବନ୍ଧୁକ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି ।