କୁତ୍ରା ବ୍ଲକ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ: ରାଉରକେଲା-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ

ସୁନ୍ଦରଗଡ଼,୨୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଙ୍ଗାଜଳ ଗ୍ରାମ ନିକଟକୁ ଶନିବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ଚାଲି ଆସିଥିଲେ। ରବିବାର ହାତୀପଲକୁ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ ଓ୍ବେର ଗଙ୍ଗାଜଳ ବସଷ୍ଟାଣ୍ଡଠାରେ ସକାଳ ୮ ଟାରୁ ରୋଡ ବ୍ଲକିଂ କରି ହାତୀପଲକୁ ଘଉଡାଇବା କାର୍ଯ୍ୟ ଜାରି ରହିଛି। ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡାଇବା ସହ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତା ବନ୍ଦ କରାଯାଇଥିବା ଜଣାପଡିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ଏଥିରେ ୧୭ଟି ହାତୀ ଥିବା ବେଳେ ଏକ ଛୁଆହାତୀ ରହିଥିବା ସୂଚନା ମିଳିଛି।