Categories: ଜାତୀୟ

କୁନାଲଙ୍କୁ ଇଣ୍ଡିଗୋରେ ୬ ମାସ ଯାତ୍ରା ମନା: ବିମାନରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୯ା୧: ରିପବ୍ଲିକ୍‌ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିମାନରେ ଦୁର୍ବ୍ୟବହାର କରିବା ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କୁ ମହଙ୍ଗା ପଡ଼ିଛି। କୁନାଲଙ୍କ ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିମାନ ଯାତ୍ରା ଉପରେ ଇଣ୍ଡିଗୋ ୬ ମାସ ପାଇଁ ରୋକ ଲଗାଇଛି। ଇଣ୍ଡିଗୋ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ କୁନାଲଙ୍କ ବ୍ୟବହାରକୁ ଅଗ୍ରହଣୀୟ ବୋଲି ଦର୍ଶାଯିବା ସହ ବିମାନରେ ଯାତ୍ରାବେଳେ କାହାକୁ ବ୍ୟକ୍ତିଗତ ଆକ୍ଷେପ ନ କରିବା ପାଇଁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।
କୁନାଲ କାମରା ମଙ୍ଗଳବାର ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କ ସହ ୬ଇ୫୩୧୭ ଫ୍ଲାଇଟ୍‌ରେ ଯାତ୍ରାବେଳେ କଥା ହେଉଥିବା ଦେଖିବାକୁ ମିଳିଥିଲା। ସେ ଅର୍ଣ୍ଣବଙ୍କୁ କେତେକ ପ୍ରଶ୍ନ କରିଥିଲେ। ପୋଷ୍ଟ କରିଥିବା ଭିଡିଓରେ କ୍ୟାପଶନ ଲେଖିଥିଲେ, ଅର୍ଣ୍ଣବଙ୍କ ସହ ଫ୍ଲାଇଟ୍‌ରେ ଦେଖାହେଲା। ତାଙ୍କୁ ତାଙ୍କର ସାମ୍ବାଦିକତା ବିଷୟରେ କହିଲି ଓ କେତେକ ପ୍ରଶ୍ନ କଲି। କିନ୍ତୁ ସେ ମୋତେ ମାନସିକ ଅସ୍ଥିର ବୋଲି କହିଲେ। ତେଣୁ କିଛି ସମୟ ପରେ ନିଜ ସିଟ୍‌ରେ ବସିବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା। ‘ମୁଁ ଏହା ମୋର ହୀରୋ ରୋହିତ ପାଇଁ କରିଛି’। ୨୦୧୬ରେ ହାଇଦ୍ରାବାଦ ୟୁନିଭର୍ସିଟିରେ ଆମତ୍ହତ୍ୟା କରିଥିବା ରୋହିତ ଭେମୁଲାଙ୍କ ଉଦ୍ଦେଶ୍ୟରେ ସେ ଏପରି କରିଥିବା କହିଥିଲେ। ପରେ ଆଉ ଏକ ଟୁଇଟ୍‌ରେ କୁନାଲ ନିଜ କାର୍ଯ୍ୟକୁ ଯଥାର୍ଥ ଦର୍ଶାଇବାକୁ ଯାଇ ଲେଖିଥିଲେ, ଅର୍ଣ୍ଣବଙ୍କ ସାମ୍ବାଦିକତାକୁ ନେଇ ସେ ଯାହା ଅନୁଭବ କରନ୍ତି ତା’ର ଏକ ମନୋଲୋଗ୍‌ ଦେଇଛନ୍ତି। ନିଜ ବ୍ୟବହାର ପାଇଁ ସେ ଅନୁତପ୍ତ ନୁହନ୍ତି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରି କହିଛନ୍ତି, ବିମାନ ଭିତରେ ଅଶାନ୍ତି ସୃଷ୍ଟି ଓ ହଇରାଣ କରିବା ପାଇଁ ଆକ୍ରମଣାମତ୍କ ବ୍ୟବହାର ଯାତ୍ରୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଯାତ୍ରା କଟକଣା ଲଗାଇବା ପାଇଁ ଏୟାରଲାଇନ୍ସଗୁଡ଼ିକୁ ପରାମର୍ଶ ଦେବା ଛଡ଼ା ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ।

Share