କଟକ ଅଫିସ,୨୨ା୧୧- କଟକ କ୍ଲବଠାରେ ଚାଲିଥିବା ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଙ୍ଗ୍ ଚାମ୍ପିୟନଶିପରେ ଗୁରୁବାର ସିନିୟର ବିଲିୟାଡର୍ସ ପ୍ରତିଯୋଗିତା ଶେଷ ହୋଇଛି। ୭ ଫ୍ରେମ ବିଶିଷ୍ଟ ଫାଇନାଲରେ କୁନାଲ ଅଗ୍ରଓ୍ବାଲ ରାଜ୍ୟର ପ୍ରତିଷ୍ଠିତ ବିଲିୟାଡର୍ସ ଖେଳାଳି ସୁବ୍ରତ ଦାସଙ୍କୁ ୪-୧ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଦୀର୍ଘ ୧୧ବର୍ଷ ପରେ କୁନାଲ ଏହି ଟାଇଟଲ ଜିତିଛନ୍ତି। ପୂର୍ବରୁ ୨୦୦୮ ମସିହାରେ ସେ ସିନିୟର ବିଲିୟାଡର୍ସ ବର୍ଗର ରାଜ୍ୟ ଚାମ୍ପିୟନଶିପ୍ ଜିତିଥିଲେ। ଅନ୍ୟପକ୍ଷରେ ଗତ ଦୁଇ ସଂସ୍କରଣରେ ଲଗାତାର ଭାବେ ଏହି ଟାଇଟଲ ବିଜୟୀ ହେଉଥିବା ସୁବ୍ରତଙ୍କୁ ହ୍ୟାଟ୍ରିକ ଟାଇଟଲ ଜିତିବାରୁ କୁନାଲ ବଞ୍ଚିତ କରିଥିଲେ। ଗତ ଦୁଇ ସଂସ୍କରଣରେ କୁନାଲ ରନର୍ସଅପ ହୋଇଥିଲେ। ଅନ୍ୟପକ୍ଷରେ ଗୁରୁବାର ଖେଳାଯାଇଥିବା ସିନିୟର ସ୍ନୁକର ପ୍ରତିଯୋଗିତାରେ ସୌଭାଗ୍ୟ ବେହେରା ୩-୦ ଫ୍ରେମରେ ବରୁଣ ନାୟକଙ୍କୁ ଓ ଅନୁଜ ପଣ୍ଡା ୩-୦ ଫ୍ରେମରେ ଜିତୁ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ବିଲିୟାଡର୍ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍ଏଓ) ଏବଂ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଚାଲିଛି।