Categories: ଜାତୀୟ

କୁନାଲ କାମ୍‌ରା ନାମଧାରୀଙ୍କ ଟିକେଟ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୭-୨(ପି.ଟି.):ହାସ୍ୟାଭିନେତା କୁନାଲ କାମ୍‌ରାଙ୍କ ନାମରେ ଅନ୍ୟଜଣେ ବ୍ୟକ୍ତିଙ୍କ ଟିକେଟକୁ ଏୟାର ଇଣ୍ଡିଆ ବୁଧବାର ବାତିଲ କରିଥିଲା। ତାଙ୍କ ଟିକେଟକୁ ଭୁଲ୍‌ବଶତଃ ବାତିଲ କରାଯାଇଥିବା ସମ୍ପୃକ୍ତ ବ୍ୟକ୍ତି ଗୁରୁବାର ସୂଚନା ଦେଇଛନ୍ତି। କାଗଜପତ୍ର ଯାଞ୍ଚ ପରେ ତାଙ୍କୁ ବିମାନ ଯାତ୍ରା ଲାଗି ଅନୁମତି ମିଳିଥିଲା। ହାସ୍ୟାଭିନେତା କୁନାଲଙ୍କ ବିମାନ ଯାତ୍ରା ଉପରେ ୪ଟି ଏୟାରଲାଇନ୍ସ ନିଷିଦ୍ଧାଦେଶ ଲଗାଇଥିଲେ। ଏହା ପରେ କୁନାଲ କାମ୍‌ରା ନାମଧାରୀ ଅନ୍ୟଜଣେ ବ୍ୟକ୍ତିଙ୍କ ଟିକେଟକୁ ଏୟାର ଇଣ୍ଡିଆ ବାତିଲ କରିଦେଇଥିଲା। ତାଙ୍କ ନାଁ କଳା ତାଲିକାରେ ଅଛି ବୋଲି ବିମାନ କର୍ମଚାରୀ କହିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ନିକଟରେ ଇଣ୍ଡିଗୋ ବିମାନରେ ରିପବ୍ଲିକ୍‌ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କୁନାଲଙ୍କ ବିମାନଯାତ୍ରା ଉପରେ କଟକଣା ଲଗାଯାଇଥିଲା। ଏୟାର ଇଣ୍ଡିଆ, ସ୍ପାଇସ୍‌ଜେଟ ଏବଂ ଗୋଏୟାର ଅନ୍ୟାଦେଶ ପର୍ଯ୍ୟନ୍ତ ହାସ୍ୟାଭିନେତାଙ୍କ ବିମାନ ଯାତ୍ରା ଉପରେ କଟକଣା ଲଗାଇଥିବାବେଳେ ଇଣ୍ଡିଗୋ ୬ ମାସ ପାଇଁ ନିଷିଦ୍ଧାଦେଶ ଲଗାଇଥିଲା।

Share