ଭୁବନେଶ୍ୱର,୫ା୮(ବ୍ୟୁରୋ): କୁନ୍ଦୁଲି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବାପରେ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର। କାହାକୁ ସୁରକ୍ଷା ଦେବାକୁ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ତଦନ୍ତ କମିଶନ ଗତ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ, କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରହସ୍ୟମୟ। ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେ ନେଇ ଅଧିକ ତଦନ୍ତର ଆବଶ୍ୟକତା ଥିବା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ଘଟଣାରେ ବିରୋଧୀ ଦଳ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିଥିଲେ ବୋଲି ମଧ୍ୟ ଦର୍ଶାଇଛନ୍ତି। ଅନ୍ୟପଟେ କମିଶନ ଏହି ତଦନ୍ତ ଶେଷ କରି ୨୦୧୮ ସେପ୍ଟେମ୍ବର ୨୦ରେ ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ସରକାର ରିପୋର୍ଟ ପାଇ ଏତେଦିନ କାହିଁକି ଚୁପ୍ ବସି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଗୃହରେ ରିପୋର୍ଟ ଉପସ୍ଥାପନ ହେବାପରେ ଏହାର ତଦନ୍ତର ଦିଗ ଓ ସତ୍ୟତାକୁ ନେଇ ରବିବାର କଂଗ୍ରେସ ପ୍ରଶ୍ନ ଉଠାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମ ପ୍ରଶାସନ ଏତେ ଦକ୍ଷ ଯେ, ବଳାତ୍କାରର ଅଭିଯୁକ୍ତ କିଏ ଜାଣିପାରିଲା ନାହିଁ। ମାମଲାକୁ ଷ୍ଟେଜ ମ୍ୟାନେଜ କରାଯିବାକୁ ଚେଷ୍ଟା କରାଯାଇଛି। ପୂର୍ବରୁ ବଳାତ୍କାର ତଦନ୍ତ ରିପୋର୍ଟରୁ ବହୁତ କିଛି ହେରଫେର କରାଯାଇଛି। ଏହି ଘଟଣାର ସତ୍ୟତା ଉପରୁ ପରଦା ହଟାଇବାକୁ ହେଲେ ଏହାର ଏସ୍ଆଇଟି ତଦନ୍ତ ହେବା ଆବଶ୍ୟକ ବୋଲି ନିରଞ୍ଜନ କହିଛନ୍ତି। ଭାଜପା ନେତା ଖାରବେଳ ସ୍ବାଇଁ କହିଛନ୍ତି, ସରକାର ବର୍ଷକ ଆଗରୁ ରିପୋର୍ଟ ପାଇଥିଲେ ମଧ୍ୟ କାହିଁକି ଚପାଇ କି ରଖିଲେ। ଏହା ମଧ୍ୟ ଏକ ରହସ୍ୟମୟ ଘଟଣା ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାର ଏହି ମାମଲା ଚପାଇ ଦେବାକୁ ଉଦ୍ୟମ କରିଛନ୍ତି। ପ୍ରଥମରୁ ହିଁ ତଦନ୍ତକୁ ଦିଗହରା କରାଯାଇଛି। କାହାକୁ ବଞ୍ଚାଇବା ପାଇଁ ସରକାର ଏମିତି କରିଛନ୍ତି ସ୍ପଷ୍ଟ କରନ୍ତୁ। ଏହି ଘଟଣାର ଅଧିକ ତଦନ୍ତ ହେବାର ଆବଶ୍ୟକତା ଥିବା ହରିଚନ୍ଦନ କହିଛନ୍ତି। ଶାସକ ଦଳ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଏହା ଉପରେ କୌଣସି ମତ ରଖିବାକୁ ଚାହୁଁନାହିଁ। ସରକାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ କମିଶନ ବସାଇଥିଲେ। କମିଶନ ତଦନ୍ତ କରିବା ପରେ ସରକାର ବିଧାନସଭାରେ ରିପୋର୍ଟ ଉପସ୍ଥାପିତ କରିସାରିଛନ୍ତି ବୋଲି ସେ କହିଛନ୍ତି।