Categories: ଜାତୀୟ

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ବିଦ୍ରୋହୀଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇପାରିବ ନି କହିଲେ ସୁପ୍ରିମ୍‌କୋର୍ଟ

ବେଙ୍ଗାଲୁର୍‌,୧୭।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି ମୁକ୍ତ ଭାବେ ନିଷ୍ପତ୍ତି ନେଇପାରିବେ  ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ସେହିପରି ବିଦ୍ରୋହୀ ୧୬ ଜଣ ବିଧାୟକଙ୍କୁ ଶକ୍ତି ପରୀକ୍ଷା ସମୟରେ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। କର୍ନାଟକ ବିଧାନସଭାରେ ସମ୍ପ୍ରତି ୨୨୪ ଜଣ ସଦସ୍ୟ ଅଛନ୍ତି ବାଚସ୍ପତିଙ୍କୁ ବାଦ୍‌ ଦେଲେ ଏହି ସଂଖ୍ୟା ୨୨୩ ହେଉଛି। ଗୃହରେ ବହୁମତ ପାଇଁ ୧୧୨ ଜଣ ସଦସ୍ୟଙ୍କ ଆବଶ୍ୟକତା ପଡ଼ିବ। ତେବେ କୁମାରସ୍ବାମୀଙ୍କ ମେଣ୍ଟ ସରକାର ସଦସ୍ୟ ସଂଖ୍ୟା ୧୧୬ ରହିଛି। ସେଥିମଧ୍ୟରେ କଂଗ୍ରେସ ୭୮, ଜେଡିଏସ୍‌ ୩୭ ଏବଂ ବିଏସ୍‌ପିର ଜଣେ ସଦସ୍ୟ ଅଛନ୍ତି। ମାତ୍ର ୧୬ ଜଣ ବିଦ୍ରୋହୀଙ୍କୁ ବାଦ୍‌ ଦେଲେ ଗୃହର ସଦସ୍ୟ ସଂଖ୍ୟା ବାଚସ୍ପତିଙ୍କୁ ଛାଡ଼ି ୨୦୭ ରହିବ। ଏପରିସ୍ଥଳେ ବହୁମତ ପାଇଁ ୧୦୪ ଜଣ ସଦସ୍ୟଙ୍କ ଆବଶ୍ୟକ ହେବ। ଏପରିସ୍ଥଳେ କୁମାରସ୍ବାମୀଙ୍କ ପାଖରେ ଶହେ ଜଣ ସଦସ୍ୟ ରହିବେ। ଅପରପକ୍ଷରେ ବି.ଏସ୍‌. ୟେଦୁରପ୍ପାଙ୍କ ପାଖରେ ୧୦୫ ସଦସ୍ୟ ଅଛନ୍ତି। ଏଥିରେ ୨ଜଣ ନିର୍ଦ୍ଦଳୀୟ ସଦସ୍ୟଙ୍କୁ ମିଶାଇଲେ ଏହା ୧୦୭ ହେବ। ଏହା ଦ୍ୱାରା ସେ ସରକାର ଗଠନ କରିବା ଲାଗି ସୁଯୋଗ ସୃଷ୍ଟି ହେବ।

Share