କୁମୁସୀ ସରପଞ୍ଚ ନିଲମ୍ବିତ

ପରଜଙ୍ଗ, ୨୮।୯(ଡି.ଏନ.ଏ.)

ପଦବୀର ଅପବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତର ସରପଞ୍ଚ ସାଗରିକା ଦେହୁରୀ। ଜିଲାପାଳଙ୍କ ଅର୍ଡର ନଂ. ୭୮୦ ଏବଂ ତା.୨୬.୯.୧୯ରିଖରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତାଙ୍କ ସ୍ଥାନରେ ନାଏବ ସରପଞ୍ଚ ପୀତବାସ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ସାଗରିକାଙ୍କ ବିରୋଧରେ ପଦବୀର ଅପବ୍ୟବହାର ଅଭିଯୋଗ ଆସିଥିଲା। ସେ ୨୦୧୮ ଜାନୁୟାରୀ ୩୦ରୁ ଫେବୃୟାରୀ ୨ ଯାଏ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ରଖିଥିଲେ। ଏପରି କି ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପ୍ରବେଶ କରିବାକୁ ସୁଯୋଗ ଦେଇ ନ ଥିଲେ। ଚଳିତବର୍ଷ ଜାନୁୟାରୀ ୧୫ରେ ପିଇଓ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସରପଞ୍ଚ ହିତାଧିକାରୀଙ୍କୁ ଭତ୍ତା ଦେଇ ନ ଥିଲେ। କେବଳ ଏତିକି ନୁହେଁ, ସରପଞ୍ଚଙ୍କ ସହଯୋଗ ଅଭାବରୁ ପଞ୍ଚାୟତର ବିକାଶ ଲାଗି ଆସୁଥିବା ଅନୁଦାନ ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଥିଲା। ଭତ୍ତା ଟଙ୍କାରୁ ବଞ୍ଚତ୍ତ ହିତାଧିକାରୀ ଏ ସଂକ୍ରାନ୍ତରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଜିଲାପାଳ ଅବଗତ କରାଇବା ପରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ନେଇଥିଲେ। ପିଆର୍‌ ଆଣ୍ଡ ଡିଡବ୍ଲ୍ୟୁ ଆଡିସିନାଲ ସେକ୍ରେଟାରୀଙ୍କ ପତ୍ର ସଂଖ୍ୟା ୧୬୧୪୨ ଅନୁଯାୟୀ ସେପ୍ଟେମ୍ବର ୧୭ରେ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କୁ ପତ୍ର ସଂଖ୍ୟା ୧୬୧୪୩ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ପରଜଙ୍ଗ ବିଡିଓ ଏବଂ ଜିଲା ପଞ୍ଚାୟତ ଅଧିକରୀଙ୍କୁ ପତ୍ରସଂଖ୍ୟା ୧୬୧୪୪ରେ ଅବଗତ କରାଯାଇଥିଲା। ଜିଲାପାଳ ଘଟଣାର ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଜିଲାପାଳଙ୍କ ନିର୍ଦ୍ଦେଶକୁ ବିଡିଓ ବସନ୍ତ କୁମାର ମଲ୍ଲିକ ଶୁକ୍ରବାର କାର୍ଯ୍ୟକାରୀ କରିଛନ୍ତି। ଏ ସମ୍ପର୍କିତ ସୂଚନା ବିଧିବଦ୍ଧ ଭାବେ ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ନିକଟକୁ ପ୍ରେରଣ କରାଯାଇଛି। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ୍‌ ମରାଯାଇଛି।

Share