Categories: ଖେଳ

କୁମ୍ବଲେଙ୍କଠାରୁ ଫ୍ଲିପର ଶିଖିବାକୁ ଚାହାନ୍ତି ବିଷ୍ଣୋଇ

ନୂଆଦିଲ୍ଲୀ,୧୯।୨- ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ସଫଳ ସ୍ପିନର ରବି ବିଷ୍ଣୋଇ ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ଲେଗ୍‌ ସ୍ପିନର ଅନିଲ କୁମ୍ବଲେଙ୍କଠାରୁ ଫ୍ଲିପର ବଲ କେଉଁ ଭଳି ପକାଯାଏ, ତାହା ଜାଣିବାକୁ ଚାହାନ୍ତି। ଏ ନେଇ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସେ ୬ ମ୍ୟାଚ୍‌ ଖେଳି ୩.୪୮ ହାରରେ ସର୍ବାଧିକ ୧୭ ଉଇକେଟ ନେଇଥିଲେ। ଷ୍ଟମ୍ପ ଟୁ ଷ୍ଟମ୍ପ ବଲ ପକାଏ। ବ୍ୟାଟ୍ସମ୍ୟାନ ନିଜଆଡ଼ୁ ଉଇକେଟ ଦେଇ ଦିଅନ୍ତି। ପ୍ରତ୍ୟେକ କ୍ରିକେଟରଙ୍କ ଭଳି ମୋର ସ୍ବପ୍ନ ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରିବା। ଏପର୍ଯ୍ୟନ୍ତ ଯେଉଁଠାରେ ପହଞ୍ଚତ୍ ପାରିଛି, ସେଥିରେ ମୁଁ ବହୁତ ଖୁସି। ମୋ ଅଭିଯାନ ଚମତ୍କାର ରହିଛି ଓ ଟୁର୍ନାମେଣ୍ଟରୁ କିଛି ଶିକ୍ଷା ମଧ୍ୟ ମିଳିଛି ବୋଲି ବିଷ୍ଣୋଇ କହିଛନ୍ତି। ବ୍ୟାଟ୍ସମ୍ୟାନଙ୍କୁ ଚତୁରତାର ସହ ଆଉଟ୍‌ କରୁଥିବା ରାଜସ୍ଥାନ ଖେଳାଳି ଟୁର୍ନାମେଣ୍ଟରେ ଦୁଇ ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାତେଇଥିଲେ। ଫାଇନାଲରେ ୧୭୭ ରନ୍‌କୁ ଡିଫେଣ୍ଡ କରୁଥିବା ଭାରତୀୟ ଦଳ ପାଇଁ ବିଷ୍ଣୋଇ ୧୦ ଓଭରରେ ୩୦ ରନ୍‌ ବ୍ୟୟରେ ୪ ଉଇକେଟ ନେଇଥିଲେ। ତାଙ୍କ ଯୋଗୁ ବାଂଲାଦେଶ ୧୨୦ ରନ୍‌ କରି ୬ ଉଇକେଟ ହରାଇ ସାରିଥିଲା। କିନ୍ତୁ ବାଂଲାଦେଶକୁ ପ୍ରଥମ ଆଇସିସି ଟୁର୍ନାମେଣ୍ଟ ଜିତିବାରୁ ରୋକିପାରି ନ ଥିଲେ। ଡିଏଲଏସ୍‌ ନିୟମରେ ବାଂଲାଦେଶ ୩ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା। ଭାରତୀୟ ଦଳର ନିୟମିତ ୟୁଜବେନ୍ଦ୍ର ଚହଲଙ୍କ ଭଳି ବିଷ୍ଣୋଇ ମଧ୍ୟ ଜଣେ ମିଡିୟମ ପେସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ବଲକୁ ଟର୍ନ କରିପାରୁ ଥିବାରୁ ରିଷ୍ଟ ସ୍ପିନର ହେବାକୁ ଶ୍ରେୟ ମଣିଥିଲେ। କୁମ୍ବଲେ ଓ ଶେନ ଓ୍ବର୍ନଙ୍କ ବୋଲିଂ ଭିଡିଓ ଦେଖି ଦେଖି ବୋଲିଂ ଶିଖି ଥିବା ସେ କହିଛନ୍ତି। ତାଙ୍କୁ କୁମ୍ବଲେଙ୍କ ସହ ଭେଟିବାର ସୁଯୋଗ ମିଳିବ। କାରଣ କିଙ୍ଗ୍ସ ଏକାଦଶ ପଞ୍ଜାବ ଡାଇରେକ୍ଟର ଅଫ୍‌ କ୍ରିକେଟ ଅପରେଶନ୍ସ ଓ ମୁଖ୍ୟ କୋଚ୍‌ ଭାବେ କୁମ୍ବଲେଙ୍କୁ ନିଯୁକ୍ତ କରାଯାଇଛି। ଗତ ନିଲାମ ପ୍ରକ୍ରିୟାରେ ବିଷ୍ଣୋଇଙ୍କୁ ପଞ୍ଜାବ ଫ୍ରାଞ୍ଚାଇଜ ୨ କୋଟି ଟଙ୍କାରେ କିଣିଥିଲା।

Share