କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ: ଜଣେ ଗିରଫ, ଦୁଇ ଫେରାର

ସଜନାଗଡ଼,୬।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି।
ଗୁରୁବାର ବିଳମ୍ବିତ ରାତିରେ ଶିଆଡ଼ିମାଳ ପଞ୍ଚାୟତର ବଡ଼ନାଳ ଗ୍ରାମର ନାଲୁ ସିଂ ଓ ତାଙ୍କର ଦୁଇ ସହଯୋଗୀ କୁଲଡିହାକୁ ଶିକାର କରିବାକୁ ଯାଉଥିବା ବେଳେ ବ୍ରାହ୍ମଣୀହୁଡ଼ି ନିକଟରେ ବନବିଭାଗ ହାତରେ ଧରାପଡ଼ିଥିଲେ। ୨ ସହଯୋଗୀ ବନ୍ଧୁକ ସହ ଫେରାର ହୋଇଯାଇଥିବା ବେଳେ ନାଲୁଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ଗୋଳା ବାରୁଦ, ବନ୍ଧୁକରେ ବ୍ୟବହୃତ ଗୁଳି, ଟର୍ଚ୍ଚ, ଶାବଳ, କଟୁରି ଇତ୍ୟାଦି ଜବତ କରାଯାଇଛି। ଏହି ଚଢ଼ାଉରେ କୁଲଡିହା ରେଞ୍ଜର ବିଜୟ ମହାମାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଗାର୍ଡ, ସବୁଜବାହିନୀ ସାମିଲ ଥିଲେ। ସେହିପରି ବୁଧବାର ମଧ୍ୟ ପୁଟିବନ୍ଧ ଗ୍ରାମର ମୁନସୀ ସିଂ ନାମକ ଜଣେ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।