କୁଲାଡ଼ରେ ୩ ଶହ ବର୍ଷର ପରମ୍ପରା: ଗାଁର ମଙ୍ଗଳ ପାଇଁ ଜନ୍ମାଷ୍ଟମୀ

ବଅଁରପାଳ, ୨୩।୮ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର ମଙ୍ଗଳକାମନା ନିମନ୍ତେ ଶୁକ୍ରବାର ଗ୍ରାମବାସୀ ଜନ୍ମାଷ୍ଟମୀ ପାଳନ କରିବେ। ଏଥିପାଇଁ ଗଁା ଚଳଚଞ୍ଚଳ ହୋଇପଡ଼ିଛି। ରଙ୍ଗବେରଙ୍ଗର ଆଲୋକ ତୋରଣ ଯୋଗୁ ଗାଁ ଝଲମଲ ହୋଇଉଠିଛି। ପ୍ରତ୍ୟେକ ଘରୁ ଜଣେ ଲେଖାଏ ସଦସ୍ୟ ଏହି ଜନ୍ମାଷ୍ଟମୀ ବ୍ରତରେ ସାମିଲ ହେବେ ବୋଲି ବୟସ୍କମାନେ କହିଛନ୍ତି।
ଜନ୍ମାଷ୍ଟମୀ କମିଟିର ବାମଦେବ ସେଠ, ସୁଧାକର ସ୍ବାଇଁ, ହରିହର ଦେହୁରୀ ଓ ବିଜନ ଦଳବେହେରା ପ୍ରମୁଖ କହିଛନ୍ତି, ପରମ୍ପରା ଅନୁଯାୟୀ ଗ୍ରାମରେ ପୂଜା ଦୁଇଦିନ ଧରି ପାଳନ କରାଯିବ। ଶୁକ୍ରବାର ସକାଳେ ଯଥାରୀତିରେ ପୂଜାର୍ଚ୍ଚନା ପରେ ରାତିରେ ଠାକୁରଙ୍କୁ ଝୁଲଣରେ ଝୁଲା ଯିବାର କାର୍ଯ୍ୟକ୍ରମ ରହିଛି। ଆଖପାଖ ଅଞ୍ଚଳରୁ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ପରିବେଷଣ କରିବେ। ଶନିବାର ନନ୍ଦ ଉତ୍ସବ ସହ ଦହି ହାଣ୍ଡି ଭଙ୍ଗା ଯିବ। ଗ୍ରାମର ଭାଗବତ ଟୁଙ୍ଗିରେ ବହୁ ଶ୍ରଦ୍ଧାଳୁ ଏହି ବ୍ରତ ପାଳନ କରିବେ। ଦିନ ସାରା ଉପବାସ ପରେ ସନ୍ଧ୍ୟାରେ ସେମାନେ ପ୍ରସାଦ ସେବନ କରିବେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆୟୋଜନ ସରିଛି। ଗ୍ରାମବାସୀ ମିଳିମିଶି ଏହି ଉତ୍ସବକୁ ପାଳନ କରି ଆସୁଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୂଜା ପାଇଁ ପରମ୍ପରା ଅନୁସାରେ ଗ୍ରାମ ମଧ୍ୟକୁ ଦୁଇ ଦିନ ଧରି ଆମିଷ ଦ୍ରବ୍ୟ ବାରଣ କରାଯାଇଛି।

Share