କୁଲାଡ଼ ଆନ୍ଧ୍ରବ୍ୟାଙ୍କରେ ଠକେଇ ନେଇ ଏତଲା

ଭଞ୍ଜନଗର,୧୪।୩(ଡି.ଏନ୍‌.ଏ.)

ବ୍ୟାଙ୍କ ଠକେଇ ଯୋଗୁ ଦେଶରେ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଘରୋଇ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଆର୍ଥିକ ବୋଝ କମାଇବା ସହ ଅନ୍ୟାନ୍ୟ କାରଣରୁ ଆନ୍ଧ୍ର ବ୍ୟାଙ୍କ ସମେତ ୩ ବ୍ୟାଙ୍କକୁ ଏପ୍ରିଲ ମାସରେ ମିଶ୍ରଣ କରିବେ। ଏହାପୂର୍ବରୁ ଗଞ୍ଜାମ ଜିଲା କୁଲାଡ଼ ଆନ୍ଧ୍ର ବ୍ୟାଙ୍କ ନାମରେ ବିଗତ ୩ମାସ ହେବ ଗ୍ରାହକଙ୍କ ନାନା ସନ୍ଦେହ ଓ ଅଭିଯୋଗ ଆସୁଛି। ବ୍ୟାଙ୍କରେ ସୁନା ବନ୍ଧକରେ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ପ୍ରଚାର ହେଉଥିଲା। ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜଆଡୁ ଗୁରୁବାର ରାତିରେ ଭଞ୍ଜନଗର ଥାନାରେ ବନ୍ଧକ ରଖାଯାଇଥିବା ସୁନାରେ ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି। ପୋଲିସ ମାମଲା (ନଂ.୪୫୦/୨୦) ରୁଜୁକରି ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତଦନ୍ତ କରିଥିଲା। କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଣେ ସୁନା କାରିଗରଙ୍କ ବାସଭବନରୁ ଜବତ କରିଛି। ଏଥିସହ ଏହି ମାମଲାରେ ୨ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଏନେଇ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପ୍ରକାରେ ଘଟଣାର ତଦନ୍ତ ଚାଲିଛି। ବ୍ୟାଙ୍କରେ ବନ୍ଧକ ରଖାଯାଇଥିବା ସୁନା ସ୍ଥାନରେ ପିତ୍ତଳ ରଖାଯାଇଛି ନଚେତ କମ୍‌ କ୍ୟାରେଟ୍‌ ସୁନା ରଖାଯାଇ ୨୨ କ୍ୟାରେଟ ସୁନାର ଟଙ୍କା ଗ୍ରାହକ ନେଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିରେ ବ୍ୟାଙ୍କ କର୍ମଚାରୀ ସମେତ ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରଚାର ହେଉଛି। ଅଭିଯୋଗ ଆସିବା ପରେ ବନ୍ଧକ ସୁନା ଅଳଙ୍କାରକୁ ସିଲ୍‌ କରି ଦିଆଯାଇଥିବାବେଳେ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ବିଗତ କିଛିଦିନ ହେବ ବ୍ୟାଙ୍କ ଗସ୍ତରେ ଆସି ଘଟଣାର ବାରମ୍ବାର ତଦନ୍ତ ଚଳାଇଛନ୍ତି। ଏନେଇ କୁଲାଡ଼ ଆନ୍ଧ୍ରବ୍ୟାଙ୍କ ଶାଖା ପରିଚାଳକଙ୍କ ମତାମତ ନେବାପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ସେ ତାଙ୍କ ମୋବାଇଲ ଫୋନ ଉଠାଇନଥିବାରୁ ମତାମତ ନିଆଯାଇପାରିନାହିଁ।