କୁଳପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଠିକ୍‌ ସମୟରେ ପରୀକ୍ଷା, ଫଳ ପ୍ରକାଶ କର

ଭୁବନେଶ୍ୱର, ୮।୩(ବ୍ୟୁରୋ): ବିଶ୍ୱବିଦ୍ୟାଳୟରେ ଠିକ୍‌ ସମୟରେ ପରୀକ୍ଷା କରାଯିବ। ସେହିପରି ପରୀକ୍ଷା ଫଳ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ। ଆସନ୍ତା ଶିକ୍ଷାବର୍ଷରୁ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଶନିବାର ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ଏହି ପରାମର୍ଶ ଦେଇଛନ୍ତି। କ୍ୟାମ୍ପସରେ ଅନୁଶାସନ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବା ଉଚିତ ନୁହେଁ। ଅଣ-ଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖିବା ଜରୁରୀ। ଆଗାମୀ ନାକ୍‌ ରେଟିଂ ଏବଂ ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆଣିବାକୁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କୁଳପତିଙ୍କୁ ପରାମର୍ଶ ଦେଇ କହିଲେ, ମୁଁ ଆଶା କରେ ଆପଣ ସମସ୍ତେ ବିଶ୍ୱବିଦ୍ୟାଳୟ ପରିସର ଭିତରେ ଅଧିକ ସମୟ ଛାତ୍ରୀଛାତ୍ରଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଅନୁବନ୍ଧିତ କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରନ୍ତୁ। କୁଳପତି, ବରିଷ୍ଠ ଅଧିକାରୀ ଏବଂ ଅଧ୍ୟାପିକାମାନେ ସମୟ ସମୟରେ ଅନୁବନ୍ଧିତ କଲେଜଗୁଡ଼ିକୁ ଆକସ୍ମିକ ପରିଦର୍ଶନରେ ଯାଆନ୍ତୁ। ଗବେଷଣା, ଅନୁସନ୍ଧାନ ଏବଂ ପ୍ରକାଶନ ପାଇଁ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରନ୍ତୁ। ପ୍ରଫେସର, ଅଧ୍ୟାପକ, ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ରଖନ୍ତୁ। ପାଣ୍ଠିର କୌଣସି ପ୍ରତିବନ୍ଧକ ରହିବ ନାହିଁ। ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ଉପାୟରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସମର୍ଥନ କରିବେ। ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଶୀଘ୍ର ସଫଳତା ହାସଲ କରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Share