Categories: ଜାତୀୟ

କୁଳଭୂଷଣଙ୍କୁ କୂଟନୈତିକ ସହଯୋଗ ମାମଲା: ସର୍ତ୍ତକୁ ନେଇ ବଢୁଛି ଅଡ଼ୁଆ

ଇସ୍‌ଲାମାବାଦ,୪ା୮(ପି.ଟି.): ପାକିସ୍ତାନ ସେନା ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ ପାଇ ବନ୍ଦିଥିବା ଭାରତର ପୂର୍ବତନ ସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତା ଯୋଗାଇ ଦେବା ଲାଗି ଅନ୍ତର୍ଜାତୀୟ ଅଦାଲତ(ଆଇସିଜେ) ନିର୍ଦ୍ଦେଶ ଦେଇଥିବାବେଳେ ପାକିସ୍ତାନ ଏଯାଏ ଭାରତକୁ ଏଥିଲାଗି ଅନୁମତି ପ୍ରଦାନ କରିନାହିଁ। ଭାରତୀୟ ଉଚ୍ଚାୟୁକ୍ତ ଅଧିକାରୀ ଓ କୁଳଭୂଷଣଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ଆଲୋଚନା ଶୁକ୍ରବାର ଭିନ୍ନମୋଡ଼ ନେଇଥିଲା। ଏନେଇ ଦୁଇଦେଶ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ପାକିସ୍ତାନ ଏନେଇ ସର୍ତ୍ତ ରଖିବାରୁ ଭାରତ ଏହାକୁ ଅଗ୍ରାହ୍ୟ କରିଥିଲା। ଯାଦବଙ୍କୁ ଭାରତ ଦୂତାବାସ ସହଯୋଗ ଦେବା ଓ ଆଲୋଚନା କରିବାବେଳେ ପାକିସ୍ତାନ ଅଧିକାରୀ ଉପସ୍ଥିତ ରହିବେ ବୋଲି ସର୍ତ୍ତ ରଖାଯିବାରୁ ଭାରତ ଏହାକୁ ବିରୋଧ କରିଥିଲା। ଫଳରେ ଏହି ଅଡ଼ୁଆ ଏବେ ବଢିବାରେ ଲାଗିଛି।
ଯାଦବଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ ଆଇସିଜେ ରହିବାଦେଶ ଲଗାଇବା ସହ ଭାରତକୁ ଏହି ମାମଲାରେ କୂଟନୈତିକ ସହାୟତା ଲାଗି ପାକିସ୍ତାନ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଇସିଜେ ନିର୍ଦ୍ଦେଶକୁ ୧୫ ଦିନ ପୂରିଯାଇଥିବାବେଳେ ପାକିସ୍ତାନ ଦ୍ୱନ୍ଦ୍ୱ ସୃଷ୍ଟିକରୁଛି। କୂଟନୈତିକ ସ୍ତରରେ ଶୁକ୍ରବାର ଅପରାହ୍ନ ୩ଟାରେ ଏନେଇ ବୈଠକ ହେବାକୁ ସ୍ଥିର କରାଯାଇଥିଲା। ଏଥିଲାଗି ଗୁରୁବାର ଭାରତ ପକ୍ଷରୁ ପାକିସ୍ତାନକୁ ଅବଗତ କରାଯାଇଥିଲା। ପାକିସ୍ତାନ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଶୁକ୍ରବାର ଏନେଇ ଆଲୋଚନା କରାଯିବାକୁ ଦିନଧାର୍ଯ୍ୟ କରାଯାଇଥିଲା। ଆଇସିଜେଙ୍କ ନିର୍ଦ୍ଦେଶାନୁଯାୟୀ ବିନା ଭୟ ଓ ବିନା ସର୍ତ୍ତରେ ଦୂତାବାସ ସହାୟତା ଲାଗି ଭାରତ କହିଥିଲା। କିନ୍ତୁ ପାକିସ୍ତାନର ସର୍ତ୍ତ ଅଡ଼ୁଆ ବଢାଇଦେଇଛି। ଭିଏନା ରାଜିନାମା ଅନୁଯାୟୀ ବନ୍ଦୀଙ୍କୁ କୂଟନୈତିକ ସହାୟତା ଯୋଗାଇ ଦେବା କଥା। ହେଲେ ପାକିସ୍ତାନ ଜାଣିଶୁଣି ଦ୍ୱନ୍ଦ୍ୱ ସୃଷ୍ଟିକରୁଛି। ଇରାନରେ ବ୍ୟବସାୟ କରୁଥିବା ଯାଦବଙ୍କୁ ଅପହରଣ କରାଯାଇ ପାକିସ୍ତାନ ଆତଙ୍କବାଦୀର ଆଖ୍ୟା ଦେଉଛି ବୋଲି ଭାରତ ଅଭିଯୋଗ କରିଛି। ଯାଦବଙ୍କୁ ବିନା ସର୍ତ୍ତରେ ଭାରତର ଦୂତାବାସ ସହାୟତା ଲାଗି ପାକିସ୍ତାନ କେବେ ଅନୁମତି ଦେଉଛି , ଏବେ ତାକୁ ହିଁ ଅପେକ୍ଷା।

Share