କୁଳଭୂଷଣଙ୍କୁ ଧରିଥିବା କ୍ୟାପ୍‌ଟେନ୍‌ଙ୍କୁ ପାକ୍‌ରେ ପ୍ରଶଂସା

ଇସ୍‌ଲାମାବାଦ୍‌,୧୯ା୭ :ପାକିସ୍ତାନର ସାମରିକ ଗୋଇନ୍ଦା ସଂସ୍ଥାର ଜଣେ କ୍ୟାପଟେନ୍‌ଙ୍କୁ ଭିକାରି ବେଶରେ ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ମୁତୟନ କରାଯାଇଥିଲା। ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କୁ ଗିରଫ କରିବାରେ ଭିକାରି ବେଶଧାରୀ କ୍ୟାପଟେନ୍‌ଙ୍କୁ ପାକିସ୍ତାନ ପ୍ରଶଂସା କରିବା ସହିତ ତାଙ୍କର ଭାବଭଙ୍ଗୀ ଓ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହି ବ୍ୟକ୍ତି ହେଉଛନ୍ତି କ୍ୟାପ୍‌ଟେନ୍‌ କାଦିର ଅହମଦ୍‌। ସେ ଆଇଏସ୍‌ଆଇ ପାଇଁ ବେଲୁଚିସ୍ତାନରେ କାର୍ଯ୍ୟ କରୁଥିଲେ।
ନ୍ୟାୟିକ ଅଦାଲତ ଜୁଲାଇ ୧୭ରେ ଯାଦବଙ୍କ ଫାଶୀଦଣ୍ଡ ଉପରେ ରୋକ ଲଗାଇବା ସହିତ ତାଙ୍କୁ ଦୂତାବାସ ସହାୟତା ଯୋଗାଇଦେବା ପାଇଁ ରାୟ ଦେଇଥିଲେ। ଏହାର ଦିନକ ପରେ ପାକିସ୍ତାନ କ୍ୟାପ୍‌ଟେନ୍‌ କାଦିର ଅହମଦ୍‌ଙ୍କୁ ‘ଶହୀଦ’ ବର୍ଣ୍ଣନା କରିବା ସହିତ ୨୦୧୬ରେ ଯାଦବଙ୍କ ଗିରଫଦାରି ପାଇଁ ତାଙ୍କୁ ପ୍ରଶଂସା କରିଛି। ଅପରପକ୍ଷରେ ଭାରତ କହିଆସୁଛି, କୁଳଭୂଷଣ ଯାଦବ ହେଉଛନ୍ତି ଅବସରପ୍ରାପ୍ତ ସେନା ଅଫିସର। ସେ ଇରାନ୍‌ରେ ନିଜ ବ୍ୟବସାୟ ଚଳାଉଥିବାବେଳେ ତାଙ୍କୁ ପାକିସ୍ତାନୀ ଅପହରଣ କରିନେଇଛନ୍ତି।
ରିପୋର୍ଟ ଅନୁଯାୟୀ, କାଦିର ଅହମଦ୍‌ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ନିଜ ପରିବାର ଇଚ୍ଛା ବିରୋଧରେ ସେ ମିଲିଟାରି କ୍ୟାରିୟରକୁ ବାଛି ନେଇଥିଲେ। ତାଙ୍କ ଦକ୍ଷତା ଦେଖି ଆଇଏସ୍‌ଆଇ ନିଜ ଓ୍ବିଙ୍ଗ୍‌ରେ ସାମିଲ କରିବା ସହିତ ବେଲୁଚି ନେତାଙ୍କ ସ୍ବାଧୀନତା ସପକ୍ଷବାଦୀ ଆନ୍ଦୋଳନ ଉପରେ ପ୍ରତ୍ୟକ୍ଷ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଦିର ଭିକାରି ବେଶରେ ବେଲୁଚିସ୍ତାନରେ ୩ବର୍ଷ ରହିଥିଲେ। ଏହି ସମୟ ମଧ୍ୟରେ ସେ ମଇଳା, ଚିରା ପୋଷାକ ପିନ୍ଧି ଡଷ୍ଟବିନ୍‌ ଖେଳାଇବା ସହିତ ରାସ୍ତାକଡର ବାରଣ୍ଡାରେ ଶୋଇପଡୁଥିଲେ। ଏହି ଯୁବ କ୍ୟାପଟେନ୍‌ଙ୍କ ଭିକାରି ବେଶର ଅଭିନୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ସେ ୨୦୧୮ ଜୁନ୍‌ରେ କ୍ୱେଟ୍ଟାରୁ ଖୁଜ୍‌ଦାର ନିଜ କାର୍‌ରେ ଆସୁଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

Share