କୁଳଭୂଷଣଙ୍କ ପାଇଁ ଭାରତ ଖର୍ଚ୍ଚ କଲା ମାତ୍ର ଏକ ଟଙ୍କା, ପାକିସ୍ତାନର ଖର୍ଚ୍ଚ ୨୦ କୋଟି

ହେଗ,୧୮ା୭: ଅନ୍ତର୍ଜାତୀୟ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରୋଫାଇଲ ମାମଲା ପାଇଁ ଭାରତ ମାତ୍ର ଏକ ଟଙ୍କା ଖର୍ଚ୍ଚ କରିଥିଲାବେଳେ, ପାକିସ୍ତାନ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଜଣାପଡିଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ)ରେ କୁଳଭୂଷଣଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିବା ପାଇଁ ଓକିଲ ହରିଶ ସାଲଭେ ମାତ୍ର ଏକ ଟଙ୍କା ନେଇଥିବାବେଳେ ପାକିସ୍ତାନ ଓକିଲ କୁଳଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଛନ୍ତି। ୨୦୧୭ରେ ଭାରତର ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ବରାଜ ଟୁଇଟରେ କହିଥିଲେ, କୁଳଭୂଷଣଙ୍କୁ କେସ୍‌ ଲଢିବାକୁ ଓକିଲ ହରିଶ ସାଲଭେ ମାତ୍ର ୧ ଟଙ୍କା ନେବା ପାଇଁ କହିଛନ୍ତି। ସେହିପରି ପାକିସ୍ତାନରେ ବଜେଟ ଉପସ୍ଥାପନ ବେଳେ ଯାଦବଙ୍କ କେସ୍‌ ଲଢିବା ପାଇଁ ଓକିଲ ଖାଓ୍ବର କୁ୍‌ରେଶୀ ୨୦କୋଟିରୁ ଅଧିକ ଟଙ୍କା ନେବେ ବୋଲି କୁହାଯାଇଥିଲା।

Share