ନୂଆଦିଲ୍ଲୀ,୪ା୫(ପି.ଟି.): ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମୁକୁଳାଇବା ପାଇଁ ଇସ୍ଲାମାବାଦକୁ ବ୍ୟାକ୍ ଚାନେଲ ମାଧ୍ୟମରେ ପ୍ରବର୍ତ୍ତାଇବା ନିମନ୍ତେ ଭାରତ ଆଶାବାଦୀ ଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ କହିଛନ୍ତି। ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ପାକିସ୍ତାନ ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ଏହାକୁ ଭାରତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଚ୍ୟାଲେଞ୍ଜ କରିଥିଲା। ମୃତ୍ୟୁଦଣ୍ଡର ପୁନର୍ବିଚାର ସହ ତାଙ୍କୁ ଭାରତର ଆଇନଗତ ସହାୟତା ଯୋଗାଇଦେବାକୁ ଗତବର୍ଷ ଆଇସିଜେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଭାରତ ଲଗାତର ପାକିସ୍ତାନକୁ କହିଆସୁଛି। କିନ୍ତୁ ପାକିସ୍ତାନ ଏପର୍ଯନ୍ତ କୌଣସି ପଦକ୍ଷେପ ନେଇନାହିଁ। ପଛଦ୍ୱାର ଦେଇ ଆମେ ପାକ୍କୁ ବୁଝାଇ କୁଳଭୂଷଣଙ୍କୁ ମୁକ୍ତ କରିବାରେ ସମର୍ଥ ହେବୁ ବୋଲି ଆଇସିଜେରେ ଭାରତର ମୁଖ୍ୟ ଓକିଲ ଥିବା ସାଲ୍ଭେ ଲଣ୍ଡନରୁ ଏକ ଅନ୍ଲାଇନ ବକ୍ତୃତା ଦେବା ଅବସରରେ କହିଛନ୍ତି। ପାକିସ୍ତାନ ଏହି ନିର୍ଦ୍ଦେଶ ନ ମାନିଲେ ଆମେ ପୁଣିଥରେ ଆଇସିଜେ ଯିବା ଲାଗି ନିଷ୍ପତ୍ତି ନେଇପାରିବା ବୋଲି ସାଲ୍ଭେ କହିଛନ୍ତି।