କୂଅରୁ ମିଳିଲା ମିଠା ବ୍ୟବସାୟୀଙ୍କ ମୃତଦେହ

ଭୁବନେଶ୍ୱର,୫।୧(ବ୍ୟୁରୋ): ନୟାପଲ୍ଲୀ ଥାନା ବେହେରାସାହିସ୍ଥିତ କ୍ରିଷ୍ଣା ଟାଓ୍ବାର ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ମିଠା ବ୍ୟବସାୟୀଙ୍କ ମୃତଦେହକୁ ପୋଲିସ ଶନିବାର ଉଦ୍ଧାର କରିଛି। ମୃତ ଯୁବକ ହେଲେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଜୋହଳ ଗ୍ରାମର ନୀହାର ରଞ୍ଜନ ଦାସ(୩୨)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ନୀହାରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଦାଦା ଅଭିଯୋଗ ଆଣିବା ପରେ ହତ୍ୟା ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।
ମିଳିଥିବା ସୂଚନାନୁଯାୟୀ, ନୀହାରଙ୍କର ପାହାଳଠାରେ ଏକ ମିଠା ଦୋକାନ ରହିଛି। ଗତ କିଛିଦିନ ହେବ ପାରିବାରିକ କଳହକୁ ନେଇ ସେ ମାନସିକ ଚିନ୍ତାରେ ଥିଲେ। ଶନିବାର କ୍ରିଷ୍ଣା ଟାଓ୍ବାର ନିକଟରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଦିନ ପ୍ରାୟ ୧ଟା ୩୦ରେ ସେ ଉକ୍ତ ପରିତ୍ୟକ୍ତ କୂଅ ନିକଟରେ ବସିଥିବା ଜଣେ ମହିଳା ଦେଖିଥିଲେ। ଏହାର କିଛି ସମୟ ପରେ କୂଅରେ କ’ଣ ପଡିବାର ଶବ୍ଦ ଶୁଣି ମହିଳା ଜଣକ ଚାହିଁଥିଲେ ମଧ୍ୟ କୂଅ ଉପରେ ନିହାର ନ ଥିଲେ। ତାଙ୍କର ସନ୍ଦେହ ହେବାରୁ କୂଅ ନିକଟକୁ ଯାଇ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପୋଲିସ ଏବଂ ନଂ.୧୦୦କୁ ଫୋନ୍‌ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚତ୍ କୂଅରୁ ନୀହାରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ନୀହାରଙ୍କ ପଡୋଶୀଙ୍କ କହିବା ଅନୁଯାୟୀ, କୌଣସି ଏକ ଘଟଣାକୁ ନେଇ ନୀହାର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ନୀହାର ମାନସିକ ବିଶାଦରେ ରହୁଥିଲେ। ଆତ୍ମହତ୍ୟା ହେଉ କି ହତ୍ୟା, ଏହା ପଛରେ ଅନୈତିକ ସମ୍ପର୍କ କାରଣ ହୋଇଥାଇପାରେ ବୋଲି ପଡୋଶୀ କହିଛନ୍ତି। ହତ୍ୟା ଅଭିଯୋଗ ଓ ଅନ୍ୟ ଦିଗକୁ ନେଇ ତଦନ୍ତ କରୁଥିବା ପୋଲିସ କହିଛି।

Share