କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୨୯।୯: ଗଞ୍ଜାମ ଜିଲା ବୈଦ୍ୟନାଥପୁର ପୋଲିସ ରବିବାର ସକାଳେ ବିଦ୍ୟୁତ୍‌ପୁର କଲୋନୀ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ବେକ କାଟି କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ଉକ୍ତ କଲୋନୀରେ ରହୁଥିବା ଅମ୍ବିକା ପ୍ରସାଦ ପାଢ଼ୀ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ୫୧୩/୧୯ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ ଯେ, ଅମ୍ବିକା ଗତ ୨୭ ତାରିଖରୁ ନିଖୋଜ ଥିଲେ। ରବିବାର ଉକ୍ତ କଲୋନୀର ଏକ କୂଅରେ ମୃତଦେହ ଭାସୁଥିବା ପୋଲିସ ଖବର ପାଇଥିଲା। ପରେ ପୋଲିସ କୂଅରୁ ମୃତଦେହ ବାହାର କରିବା ପାଇଁ ଅଗ୍ନିଶମ ବିଭାଗର ସହାୟତା ନେଇଥିଲା। ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଓ ତାଙ୍କ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହଟି ପୋଲିସକୁ ହସ୍ତାନ୍ତର କରାଯାଇଥିବା ଏଏଫ୍‌ଓ ସନାତନ କହିଛନ୍ତି।