Advertisement

କୂଅରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟଣା: ରାତି ଅଧରେ ବ୍ୟବଚ୍ଛେଦ ଦାବିରେ ସମ୍ପର୍କୀୟଙ୍କ ଡାକ୍ତରଙ୍କୁ ମାଡ଼ ଅଭିଯୋଗ

ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କ ମୃତଦେହ ବ୍ୟବ୍ୟଚ୍ଛେଦ ଦାବିରେ ସେମାନଙ୍କ ସମ୍ପର୍କୀୟ ୨ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ୩ ସମ୍ପର୍କୀୟ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ମଙ୍ଗଳବାର ପାଟଣା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଗୁଡିପୋଖରୀ ଗ୍ରାମର ନନ୍ଦ କିଶୋର ମହାନ୍ତ(୭୦) ସୋମବାର ସନ୍ଧ୍ୟାରେ କୂଅରେ ପଡ଼ିଥିଲେ। ପରେ ପରିବାର ଲୋକ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରାତିରେ ମୃତଦେହ ବ୍ୟବଚ୍ଛେଦ ଲାଗି ଦାବି କରିବା ସହ କାହିଁକି ବ୍ୟବଚ୍ଛେଦ ହେବନି ବୋଲି କହି ନନ୍ଦ କିଶୋରଙ୍କ ୩ ସମ୍ପର୍କୀୟ ଅସଭ୍ୟ ଭାଷାରେ ଡାକ୍ତରଙ୍କୁ ଗାଳି ଗୁଲଜ କରିଥିଲେ। ପରେ ଠେଲାପେଲା କରିବା ସହ ମାଡ଼ ମାରିଥିବା ନେଇ ଡାକ୍ତର ଶୁଭେନ୍ଦୁ ସାଗର ନାଏକ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଚିତ୍ତରଞ୍ଜନ ନାଏକ ପାଟଣା ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ୨୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel