କୂଅ ଚାରିପଟେ ସବୁଜ ବାଡ଼

ଢେଙ୍କାନାଳ ଅଫିସ, ୨୧।୧୧ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ମହୀଧରପୁର ମୁଣ୍ଡାଖମଣ ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର ବିଷୟ ହୋଇଛି। ହାତୀଙ୍କ ସୁରକ୍ଷା ପାଇଁ ଅଞ୍ଚଳରେ ଥିବା କୂଅ ଚାରିପଟେ ସବୁଜ ବାଡ଼ ଘେରାବନ୍ଦୀ କରାଯାଇଛି।
କୂଅ ଚାରିପଟେ ସୁରକ୍ଷା ପାଚେରି ନ ଥିବାରୁ ଅନେକ ସମୟରେ ହାତୀ ଏବଂ ସେମାନଙ୍କ ଶାବକ ଖସିପଡୁଛନ୍ତି। ଏପରି ଦୁର୍ଘଟଣା ଏଡ଼ାଇବାକୁ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ‘କଲେକ୍ଟିଭ୍‌ ଇନିସିଏଶନ ଫର ସୋସିଆଲ ସୋଲିଡାରିଟି’ ସଂସ୍ଥା ପକ୍ଷରୁ ୧୦ କୂଅକୁ ସବୁଜ ବାଡ଼ ଦ୍ୱାରା ଘେରାବନ୍ଦୀ କରାଯାଇଛି। ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା କୂଅଗୁଡ଼ିକ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟକୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା। ଏହାପରେ ଟ୍ରଷ୍ଟ ପକ୍ଷରୁ ସବୁଜବାଡ଼ ଘେରାବନ୍ଦୀ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଥିଲା। ପ୍ରତି କୂଅ ନିକଟରେ ସୂଚନା ଫଳକ ସହ ସାଙ୍କେତିକ ଚିହ୍ନ ଲଗାଯାଇଛି। ଏ ସମ୍ପର୍କରେ ଲୋକ ମଧ୍ୟ ସଚେତନ ହୋଇପାରିବେ ବୋଲି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି।
ଏପରି ଯୋଜନା ସମ୍ପର୍କରେ ୧୮ ତାରିଖରେ ମହୀଧରପୁର ଅଞ୍ଚଳରେ ସ୍ଥାନୀୟ ଫରେଷ୍ଟର ରବିନାରାୟଣ ନାୟକ, ବନରକ୍ଷୀ ସୁଧାଂଶୁ ନାୟକ, ସମୀର ସାହୁଙ୍କ ଉପସ୍ଥିତିରେ ସଚେତନ ସଭା ଆୟୋଜନ କରାଯାଇଥିଲା। ଗ୍ରାମବାସୀ ସେମାନଙ୍କ ଅଭିଯୋଗ ଶୁଣାଇଥିଲେ। ଆବାହକ ବିଜୟ କୁମାର ଦାସ ଆଲୋଚନାରେ ଭାଗନେଇ କହିଲେ, ହାତୀ ଉପଦ୍ରବରୁ ରକ୍ଷା ପାଇଁ ସୌରବାଡ଼, ସବୁଜ ବାଡ଼ ନିର୍ମାଣ କରାଯାଇଛି। ଏହାର ସୁରକ୍ଷା ପାଇଁ ୧୦ ଜଣ ଲୋକଙ୍କୁ ଚୟନ କରି ର଼୍ୟାପିଡ୍‌ ରେସପନ୍ସ ଦଳ ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗ୍ରାମ ସଭାପତି ପ୍ରଦୀପ କୁମାର ପୃଷ୍ଟି, ଚାଷୀ ମଦନ ମୋହନ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।