Advertisement

କୂଆଖାଇ ପଠାରେ ବ୍ରାଉନସୁଗାର ବେପାର

ଭୁବନେଶ୍ୱର,୧୪।୨(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍‌ ପରେ ବ୍ରାଉନସୁଗାର ମାଫିଆମାନେ ସେମାନଙ୍କ କାରବାରର ତରିକା ବଦଳାଇଛନ୍ତି। ପୁରୁଣା ସ୍ଥାନ ଛାଡ଼ି ନୂଆ ନିଛାଟିଆ ସ୍ଥାନରେ ବେପାର ଜମାଇଛନ୍ତି। ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜଧାନୀରେ ଏହି ବେଆଇନ କାରବାରକୁ ବନ୍ଦ କରିପାରୁନି ପୋଲିସ। କୂଆଖାଇ ନଦୀ ପଠାରେ ଚାଲୁଛି ବ୍ରାଉନସୁଗାର ବେପାର। ଖବର ପହଞ୍ଚତ୍ବା ପରେ କମିଶନରେଟ ପୋଲିସ ପଦକ୍ଷେପ ଆରମ୍ଭ କରିଛି। ଗୁରୁବାର କୂଆଖାଇ ପଠାରେ ବ୍ରାଉନସୁଗାର ବିକ୍ରି ଚାଲିଥିବାବେଳେ ମଞ୍ଚେଶ୍ୱର ଥାନା ପୋଲିସ ଚଢ଼ାଉ କରି ସେଠାରୁ ୯.୫ ଗ୍ରାମ ବ୍ରାଉନସୁଗାର ସହ ଏକ ସ୍କୁଟି ଜବତ କରିଛି। ତେବେ ଖସି ପଳାଉଥିବା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି। ସେ ହେଲେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳର ବିନୋଦ କୁମାର ସେଠୀ। ଏ ନେଇ ପୋଲିସ ଏକ ମାମଲା (ନଂ. ୬୭/୨୦) ରୁଜୁ କରି ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଅଭିଯୁକ୍ତ ବିନୋଦ ବାଲିଅନ୍ତା ଥାନା ଅନ୍ତର୍ଗତ ନଖରା ଓମ୍‌ଫେଡ ଛକ ନିକଟରେ ଏକ ଘର ଭଡା ନେଇ ରହିବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍କୁଟିରେ ବୁଲି ବ୍ରାଉନସୁଗାର ବିକ୍ରି କରନ୍ତି। ପୋଲିସ ନଜରରୁ ବର୍ତ୍ତିବା ପାଇଁ ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ବେପାର ଚଳାଇଥିଲେ। ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀଙ୍କ ନିକଟରେ ଖବର ପହଞ୍ଚତ୍ବା ପରେ ଏସ୍‌ଆଇ ଷ୍ଟାଲିନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ କୁଆଖାଇ ପଠାରେ ଚଢାଉ କରିଥିଲା। ତେବେ ବିନୋଦ ଧରାପଡିଥିଲେ ମଧ୍ୟ କେତେଜଣ ବ୍ରାଉନସୁଗାର ସେବନକାରୀ ଖସି ପଳାଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share