କୃତ୍ରିମ ଅଙ୍ଗ ତିଆରି ଉପରେ ଗୁରୁତ୍ୱ ଦେବେ ସରକାର

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଦିବ୍ୟାଙ୍ଗଙ୍କ ଲାଗି କୃତ୍ରିମ ଅଙ୍ଗ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେବେ ରାଜ୍ୟ ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏ ଦିଗରେ ବିଶେଷ ଧ୍ୟାନ ଦେବ। କୃତ୍ରିମ ଅଙ୍ଗ ନିର୍ମାଣ ହେବା ପରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଶୁକ୍ରବାର ଲୋକସେବା ଭବନରେ ଏନେଇ ବିବୃତିି ଦେବା ଅସବରରେ ପଣ୍ଡା କହିଥିଲେ, ସମ୍ବଲପୁରଠାରେ କୃତ୍ରିମ ଅଙ୍ଗ ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ୱାର୍କଶପ୍‌କୁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଭାବରେ କମ୍ପ୍ୟୁଟରୀକରଣ କରାଯିବ। ଫଳରେ ଅତ୍ୟାଧୁନିକ ପ୍ରଣାଳୀରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ।
ଗୁରୁବାର ମନ୍ତ୍ରୀ ପଣ୍ଡା ସମ୍ବଲପୁର ଗସ୍ତ କରି ହାତୀବାରିସ୍ଥିତ ହେଲଥ୍‌ ହୋମ୍‌ ପରିଦର୍ଶନ କରିଥିଲେ। ସେଠାରେ ଅନ୍ତେବାସୀମାନଙ୍କୁ କମ୍ବଳ, ଲୁଗାପଟା ଓ ଛତା ସମେତ ୫ଟି ହୁଇଲ୍‌ ଚେୟାର, ୫ କୃତ୍ରିମ ଗୋଡ଼, ୩ ଟ୍ରେସାପେଡ୍‌, ୩ ୱାକର ବିତରଣ କରିଥିଲେ। ଏହି ଅବସରରେ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଭତ୍ତା ମଧ୍ୟ ବଣ୍ଟନ କରାଯାଇଥିଲା। ସମ୍ବଲପୁର ଜିଲା ହାତୀବାରିଠାରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ହେଲଥ୍‌ ହୋମ୍‌ ସହ ଏକ କୁଷ୍ଠାଶ୍ରମ ରହିଥିବାବେଳେ ବିଭାଗୀୟ ମନ୍ତ୍ରୀ ପରିଦର୍ଶନ ସମୟରେ ଅନ୍ତେବାସୀମାନଙ୍କ ସହିତ ମତ ବିନିମୟ କରିଥିଲେ। ଏହି ସମୟରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ସ୍ଥାନୀୟ ବିଡିଓ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କୃତ୍ରିମ ଅଙ୍ଗ ପ୍ରସ୍ତୁତିକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।

Share