କୃତ୍ରିମ ବନ୍ୟାକୁ ବର୍ଷେ ବିତିବାକୁ ବସିଲାଣି:ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଆନନ୍ଦପୁର,୨୪।୭ (ସ୍ବ.ପ୍ର.)-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ସ୍ତରରେ କିଭଳି ଅବହେଳା କରାଯାଉଛି ତାହାର ଏକ ନଜିର ପଦାକୁ ଆସିଛି। ଗତ ବର୍ଷ ଅଗଷ୍ଟ ୨୪ ତାରିଖରେ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତର ବାରୁଆଁ ଠାରେ ଜଳ ସମ୍ପଦ ବିଭାଗ ନିର୍ମାଣାଧୀନ ବାମ ପାର୍ଶ୍ୱ କେନାଲରେ ଘାଗରା ନଦୀର ଜଳ ପ୍ରବେଶ କରିବାରୁ ବନ୍ଧ ଭାଙ୍ଗି ଯାଇଥିଲା। ୬ଟି ସ୍ଥାନରେ ବଡ଼ ବଡ଼ ଘାଇ ହୋଇ ଚାଷ ଜମିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଏହା ମଧ୍ୟରେ ବର୍ଷେ ବିତିବାକୁ ଆଉ ମାସେ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ। କୃତ୍ରିମ ବନ୍ୟାର ଶିକାର ହୋଇଥିବା ବଳଦୁଆଁ, ପଣ୍ଡୁଆ ଓ ଚମର୍ଦାର ଚାଷୀ କ୍ଷୋଭ ପ୍ରକାଶ କରି ଏସମ୍ପର୍କରେ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଚାଷୀମାନେ ଦର୍ଶାଇଛନ୍ତି ଯେ, କେନାଲ ଘାଇ ଦେଇ ପାଣି ମାଡ଼ିଯିବାରୁ ଧାନ ଫସଲ ସମେତ ମାଛ ଚାଷ ପ୍ରଭାବିତ ହୋଇଥିଲା। ପୋଖରୀରେ ପାଣି ପଶିବାରୁ ମାଛ ସବୁ ଭାସି ଯାଇଥିଲେ। ବୈତରଣୀ ନଦୀ ବ୍ୟାରେଜ୍‌ ଡିଭିଜନ ଅଧୀନ ବାମପାର୍ଶ୍ୱ କେନାଲରେ ଅଚାନକ ଘାଗରା ନାଳର ବର୍ଷା ଜଳ ପ୍ରବାହିତ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ୩ଟି ଗ୍ରାମର ଦେଢ ଶହରୁ ଦୁଇ ଶହ ଏକର ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଥିଲା। କେନାଲ ବନ୍ଧ ଭାଙ୍ଗିବା ଖବରପାଇ ସ୍ଥାନୀୟ ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତୀ, ଆନନ୍ଦପୁର ବ୍ଲକ ବିଡିଓ, ଆରଆଇ ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଘଟଣାସ୍ଥଳ ପରିଦର୍ଶନ କରି ଘାଗରା ନାଳର ଜଳକୁ ରୋକିବା ପାଇଁ କେନାଲ ମୁଣ୍ଡରେ ବନ୍ଧ ବ୍ୟବସ୍ଥା କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଅଦ୍ୟାବଧି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳି ନ ଥିବାରୁ ସେମାନେ ଅଣ୍ଟା ସଳଖାଇ ପାରିନାହାନ୍ତି। ତୁରନ୍ତ କ୍ଷତିପୂରଣ ଦିଆ ନ ଗଲେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share