ବେଶ୍ କିଛିବର୍ଷ ପରିଶ୍ରମ କରିବା ପରେ ଇଂଲଣ୍ଡର ବିଶେଷଜ୍ଞମାନେ କୃତ୍ରିମ ରେଟିନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ବିଶେଷଭାବରେ ଏହି ନୂଆ ରେଟିନା ଦୃଷ୍ଟିହୀନମାନଙ୍କ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହେବ ବୋଲି ଜଣାପଡିଛି। ଏହି ଗବେଷଣା ସମୟରେ ବିଶେଷଜ୍ଞମାନେ ଏକ ସୁସ୍ଥ ରେଟିନାର ଆଲୋକ ସମ୍ବେଦୀ କୋଷିକା (ଲାଇଟ୍ ସେନ୍ସିଟିଭ ସେଲ୍)କୁ ପରୀକ୍ଷାମୂଳକ ଭାବରେ ଗୋଟିଏ ଦୃଷ୍ଟିହୀନ ମୂଷା ଚକ୍ଷୁରେ ପ୍ରତିରୋପଣ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ଏହାଦ୍ୱାରା ଉକ୍ତ କୋଷିକା ସେହି ମୂଷାର ଚକ୍ଷୁ ଏବଂ ମସ୍ତିଷ୍କ ମଧ୍ୟରେ ସମନ୍ବୟ ରଖିପାରିଥିଲା। ଏପରି ସଫଳତା ପାଇବା ପରେ ଏହି ପଦ୍ଧତି ମନୁଷ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ସଫଳ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି। ଏପରି କୃତ୍ରିମ ରେଟିନା ତିଆରି କରିବା ପୂର୍ବରୁ ସେମାନେ ଷ୍ଟେମସେଲ୍କୁ ୪ ମାସ ପର୍ଯ୍ୟନ୍ତ ଭିଟାମିନ୍ ଏବଂ ପ୍ରୋଟିନ୍ ଭିତରେ ରଖିଥିଲେ। ଉକ୍ତ ରେଟିନା ଆଲୋକକୁ ଚକ୍ଷୁରୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।