କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ହେବା ଘଟଣା ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : କେନ୍ଦ୍ରାପଡା ଜିଲା ଗରଦପୁରରେ କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ। ୨୦୧୪ରେ ଘଟିଥିବା ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାର ବିଚାର କରି ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା ପ୍ରମାଣ ମିଳିବା ପରେ ରାଜ୍ୟ ସରକାରଙ୍କ ଉପରେ କମିଶନ କ୍ଷତିପୂରଣ ବୋଝ ଲଦିଛନ୍ତି। ପ୍ରତି ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ କାହିଁକି ଦିଆ ନ ଯିବ ବୋଲି କମିଶନ ଜବାବ ମାଗିଛନ୍ତି। ଏଥିସହ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୪ ନଭେମ୍ବର ୫ରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶାକର୍ମୀ ଓ ଏଏନ୍‌ଏମ୍‌ମାନେ ପିଲାଙ୍କୁ ଅବଧି ଶେଷ ହୋଇଥିବା କୃମି ନାଶକ ସିରପ୍‌ ଖାଇବାକୁ ଦେଇଥିଲେ। ଏହାପରେ ୧ବର୍ଷରୁ ୧୦ ବର୍ଷ ବୟସର ୩୬ଜଣ ଶିଶୁ ଅସୁସ୍ଥ ହୋଇ ପଡିଥିଲେ। ଏନେଇ ମାନବାଧିକାର କର୍ମୀ ଅଖଣ୍ଡ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିବା ସହ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ। କମିଶନ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ନୋଟିସ ଜାରି କରିବା ସହ ନିଆଯାଇଥିବା ପଦକ୍ଷେପ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଭାଗୀୟ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ପିଲାମାନଙ୍କୁ ଦିଆଯାଇଥିବା ଆଲ୍‌ବେଣ୍ଡାଜୋଲ୍‌ ସିରପ୍‌ ବୈଧ ତାରିଖ ଶେଷ ହୋଇଯାଇଥିଲା। କିନ୍ତୁ ବିଭାଗୀୟ ଅଫି’ସରଙ୍କୁ ଘଣ୍ଟ ଘୋଡାଇବା ଲାଗି ପରବର୍ତ୍ତୀ ସମୟରେ ଦିଆଯାଇଥିବା ରିପୋର୍ଟରେ ବିଭିନ୍ନ ଯୁକ୍ତି ଦର୍ଶାଯାଇ ଉଲ୍ଲେଖ କରାଯାଇଥିଲା ଯେ, ଏଏନ୍‌ଏମ୍‌ ଓ ଆଶାକର୍ମୀଙ୍କ ଦାୟିତ୍ୱହୀନତା ଯୋଗୁ ଏହା ଘଟିଥାଇପାରେ। ଏହାସହ ଗ୍ରାମବାସୀ ସେଥିରେ ଏକ୍ସପାଏରି ଔଷଧ ମିଶାଇ ଥାଇପାରନ୍ତି। କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରି କହିଥିଲେ, ପିଲାମାନଙ୍କୁ କେଉଁ ଔଷଧ ଦିଆଯିବ ସେ ନିଷ୍ପତ୍ତି ଡାକ୍ତର ଓ ମେଡିକାଲ ଅଫି’ସରଙ୍କର। ତେଣୁ ଔଷଧ ବୈଧ ତାରିଖ ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିବା ସେମାନଙ୍କ ଦାୟିତ୍ୱ। ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏଭଳି ଭୁଲ୍‌ ପାଇଁ ଶିଶୁମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଥିବାରୁ କ୍ଷତିପୂରଣ କାହିଁକି ଦିଆ ନ ଯିବ ତାହାର କାରଣ ଦର୍ଶାଇବାକୁ କମିଶନ ନୋଟିସ କରିଛନ୍ତି।

Share