ନଟବର ଖୁଣ୍ଟିଆ
କେନ୍ଦ୍ର ସରକାର କୃଷି ସମ୍ବନ୍ଧୀୟ ତିନିଗୋଟି ଆଇନ ପ୍ରଣୟନ କଲାପରେ ପ୍ରଥମେ ପଞ୍ଜାବ ଓ ହରିୟାଣାର କୃଷକମାନେ ଏହି ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ। ବିଶେଷକରି ପଞ୍ଜାବର ଆନ୍ଦୋଳନକାରୀଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସ୍ବର ମିଳାଇଲେ। ଏହି ଆନ୍ଦୋଳନ ବର୍ତ୍ତମାନ ଏକ ଜାତୀୟ କୃଷକ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଆନ୍ଦୋଳନକୁ ଉତ୍ସାହିତ କରୁଛନ୍ତି କଂଗ୍ରେସ ଦଳ ସମେତ ସମସ୍ତ ବାମପନ୍ଥୀ ଦଳ ଓ ରାଜ୍ୟ ସ୍ତରୀୟ ଆଞ୍ଚଳିକ ଦଳମାନେ। ଚଳିତ ଡିସେମ୍ବର ୮ ତାରିଖରେ ଯେଉଁ ଭାରତବନ୍ଦ ଡାକରା ଦିଆଯାଇଥିଲା ସେଥିରେ ପଞ୍ଜାବ ବ୍ୟତୀତ ଅନ୍ୟ ରାଜ୍ୟର କୃଷକମାନେ ଯେତେ ସଂଖ୍ୟାରେ ବିକ୍ଷୋଭ କରି ନ ଥିଲେ କଂଗ୍ରେସ ସମେତ ବାମପନ୍ଥୀ ଦଳର ରାଜନୈତିକ କର୍ମୀମାନେ ଅଧିକ ସଂଖ୍ୟାରେ ବିକ୍ଷୋଭ କରିଥିଲେ। ଏହା ମଧ୍ୟରେ କେନ୍ଦ୍ର ସରକାର ଅନେକ ଥର କୃଷକ ନେତାମାନଙ୍କ ସହ ଆଲୋଚନା କରି ଲିଖିତ ଭାବରେ ଜଣାଇଲେଣି ଯେ, ବିଲ୍ରେ ଥିବା କେତେକ ବ୍ୟବସ୍ଥାର ସଂଶୋଧନ କରିବା ସହିତ ଅନୂ୍ୟନ ସହାୟକ ମୂଲ୍ୟ ବ୍ୟବସ୍ଥା ଚାଲିବ ବୋଲି। କିନ୍ତୁ ଚାଷୀମାନେ ଜିଦ୍ ଧରି ବସିଛନ୍ତି ଆଇନ ତିନିଟିକୁ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରିବାକୁ। ବିରୋଧୀ ଦଳମାନେ ଚାଷୀଙ୍କ ଜିଦ୍କୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛନ୍ତି। ଚାଷୀମାନେ ଚେତାବନୀ ଶୁଣାଇଲେଣି ଆଇନ ତିନିଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ଏବଂ ବିରୋଧୀ ଦଳ ନେତା କହୁଛନ୍ତି ଚାଷୀମାନଙ୍କୁ ”ଏବେ ନୁହେଁ ତ କେବେ ନୁହେଁ“ ଆନ୍ଦୋଳନକୁ ଶେଷ ପର୍ଯ୍ୟାୟକୁ ନିଅ।
ଭାରତ ବନ୍ଦ ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏକ ଜାତୀୟସ୍ତରର ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କହୁଥିଲେ ”ପଞ୍ଜାବର ଅଡ଼ତିୟା ବ୍ୟବସ୍ଥା ବିଗତ ଶହେବର୍ଷ ତଳର ବ୍ୟବସ୍ଥା। ସେମାନେ ନୂଆ ଆଇନ ବଳରେ ଉଚ୍ଛେଦ ହେଲେ ସେମାନଙ୍କର ପରିବାର ଚଳିବେ କିପରି? ସେମାନେ କେବଳ କମିଶନ ଏଜେଣ୍ଟ ହିସାବରେ କାମ କରନ୍ତି ନାହିଁ- ସେମାନେ ବେଳଅବେଳରେ ଚାଷୀମାନଙ୍କୁ ଋଣ ଦିଅନ୍ତି, ଯାହା ବ୍ୟାଙ୍କ କରିପାରେନା। ତେଣୁ ଅଡତିୟାମାନଙ୍କର ଉଚ୍ଛେଦ ଆମେ ଚାହଁୁନା। ତା’ଛଡ଼ା ମଣ୍ଡିରେ ଖାଦ୍ୟଶସ୍ୟ ବିକ୍ରି ହେଲେ ସରକାର ଯେଉଁ ରାଜସ୍ବ ପାଆନ୍ତି ତାହା ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣରେ ଖର୍ଚ୍ଚ ହୁଏ। ଖାଦ୍ୟଶସ୍ୟ ଉପରୁ ଟିକସ ବ୍ୟବସ୍ଥା ଉଚ୍ଛେଦ ହେଲେ ଆମେ ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ କିପରି କରିବୁ?“
ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟରୁ ଜଣାଯାଏ ଯେ, ନୂତନ କୃଷି ଆଇନ କାର୍ଯ୍ୟକାରୀ ହେଲେ ଚାଷୀମାନେ ଯେତେ ହଇରାଣ ନ ହେବେ ଅଡ଼ତିୟା ଓ ରାଜ୍ୟ ସରକାର ଅଧିକ ହଇରାଣ ହେବେ। ଏହି ଅଡ଼ତିୟା ବ୍ୟବସ୍ଥା ପଞ୍ଜାବରେ କିପରି କାର୍ଯ୍ୟକାରୀ ହେଉଛି ଆସନ୍ତୁ ତା’ ଉପରେ ସମ୍ୟକ୍ ଦୃଷ୍ଟି ପକାଇବା।
ପଞ୍ଜାବରେ ଅଡ଼ତିୟା କହିଲେ କମିଶନ ଏଜେଣ୍ଟକୁ ବୁଝାଏ। ସେମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, କମିଶନ ଏଜେଣ୍ଟ ସାଙ୍ଗକୁ ସେମାନେ ଗ୍ରାମ୍ୟ ମହାଜନର ଭୂମିକା ନିର୍ବାହ କରୁଛନ୍ତି ଯଦିଓ ମହାଜନୀ ପ୍ରଥା ଆଇନତଃ ଅସିଦ୍ଧ। ସେମାନେ ସାଧାରଣତଃ ବଡ଼ ବଡ଼ ଚାଷୀ। ପଞ୍ଜୀକୃତ ଅଡ଼ତିୟାଙ୍କ ସଂଖ୍ୟା ୪୮ ହଜାର ପାଖାପାଖି। ସେମାନଙ୍କ ପାଖରେ ୫୦ ଲକ୍ଷ ଚାଷୀ ପଞ୍ଜୀକୃତ। ପଞ୍ଜାବରେ ୧୬୦ ଲକ୍ଷ ଟନ ଧାନ ଓ ୧୮୦ ଲକ୍ଷ ଟନ ଗହମ ଉତ୍ପାଦନ ହୁଏ। ଏହି ଉତ୍ପାଦିତ ଖାଦ୍ୟଶସ୍ୟର ୮୫ ଭାଗ ମଣ୍ଡିରେ ଏମଏସପି ମୂଲ୍ୟରେ ବିକ୍ରି ହୁଏ। କିନ୍ତୁ ଚାଷୀମାନେ ସିଧାସଳଖ ଭାବରେ ଏହାକୁ ମଣ୍ଡିରେ ବିକ୍ରି କରନ୍ତି ନାହିଁ ନା ସିଧାସଳଖ ଦେୟ ପାଆନ୍ତି ନାହିଁ। ସବୁ ଖାଦ୍ୟଶସ୍ୟ ଅଡ଼ତିୟାଙ୍କ ମାଧ୍ୟମରେ ମଣ୍ଡିରେ ବିକ୍ରି ହୁଏ ଏବଂ ଏହାର ମୂଲ୍ୟ ପାଆନ୍ତି ଅଡ଼ତିୟାମାନେ। ପରେ ସେମାନେ ଚାଷୀଙ୍କ ଦେୟରୁ ୨.୫ ପ୍ରତିଶତ କମିଶନ କାଟି ଚାଷୀମାନଙ୍କୁ ଦିଅନ୍ତି। କିନ୍ତୁ ତା’ର କୌଣସି ଗ୍ରହଣଯୋଗ୍ୟ ରେକର୍ଡ ତାଙ୍କ ପାଖରେ ନ ଥାଏ ଆବଶ୍ୟକ ବେଳେ ଅଡିଟ କରିବା ପାଇଁ। କମିଶନ ହିସାବରେ ଅଡ଼ତିୟାମାନେ ୧୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପାଉଥିବା ବେଳେ ସରକାର ଟିକସ ହିସାବରେ ୫୦୦୦ କୋଟି ଟଙ୍କା ପାଅନ୍ତି। ମୋଟ ୬୫୦୦ କୋଟି ଟଙ୍କା ଚାଷୀମାନେ ତାଙ୍କ ଏମଏସପି ମୂଲ୍ୟରୁ କମ ପାଅନ୍ତି। ଏହି ବିକ୍ରିରେ ଧାନ, ଗହମ, କପା, ମକା ଇତ୍ୟାଦି ଅନ୍ୟ କେତେକ ଫସଲ ଅନ୍ତର୍ଭୁକ୍ତ।
ଏହି ଅଡ଼ତିୟାମାନେ କେବଳ କମିଶନ ଏଜେଣ୍ଟ ନୁହନ୍ତି ସେମାନେ ଗାଁ ମହାଜନର ଭୂମିକା ନିର୍ବାହ କରନ୍ତି। ଚାଷୀମାନଙ୍କୁ କୃଷି କାର୍ଯ୍ୟ ପାଇଁ ଓ ଅନ୍ୟାନ୍ୟ ଅଣଉତ୍ପାଦ ଖର୍ଚ୍ଚ ପାଇଁ ଋଣ ଦିଅନ୍ତି। ଏଥିପାଇଁ ସୁଧ ୧୫ ପ୍ରତିଶତରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ଆଦାୟ କରନ୍ତି। ଯଦିଓ ଏବେକାର ବ୍ୟାଙ୍କର କୃଷିଋଣ ଯୋଜନା ଅନୁସାରେ ଚାଷୀମାନେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ବର୍ଷକର ଫସଲ ଉତ୍ପାଦନ ପାଇଁ ଋଣ ସହଜରେ ଓ କମ ସୁଧରେ ନେଇ ପାରିବେ ତେବେ ଚାଷ ପାଇଁ ଚାଷୀମାନେ ଅଡ଼ତିୟାଙ୍କ ପାଖକୁ ଯାଆନ୍ତି ନାହିଁ କି? ଏବେ ଏକ ଖବରରୁ ପ୍ରକାଶ ପାଇଛି ଯେ, ପଞ୍ଜାବରେ କୃଷି ଋଣ ଅନାଦାୟ ପରିମାଣ ହଠାତ୍ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତା’ର କାରଣ ହେଲା ପଞ୍ଜାବ ସରକାର ଯେଉଁ କୃଷି ଋଣ ଛାଡ଼ କଲେ ସେହି ଛାଡ଼ରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସୀମିତ ପରିମାଣର ଋଣ ଛାଡ଼ ପାଇଲେ ଆଉ ଯେଉଁମାନେ ଛାଡ଼ ପାଇଲେ ନାହିଁ, ଭବିଷ୍ୟତରେ କାଳେ ଛାଡ଼ ପାଇବେ ବୋଲି ବ୍ୟାଙ୍କ ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କରୁ ଋଣ ଆଣିବାକୁ ଅଯୋଗ୍ୟ ବିବେଚିତ ହେଲେ। ତେଣୁ ବିକଳ୍ପ ନ ପାଇ ଅଡ଼ତିୟା ପାଖକୁ ଗଲେ। ଏହି ଅଡ଼ତିୟାମାନେ ସମାନ୍ତରାଳ ବ୍ୟାଙ୍କ ପରି ପଞ୍ଜାବର ଗ୍ରାମାଞ୍ଚଳରେ କାମ କରୁଛନ୍ତି। କିନ୍ତୁ ସୁଧ ନେଉଛନ୍ତି ୧୫ ପ୍ରତିଶତରୁ ୨୮ ପ୍ରତିଶତ। ଯେଉଁମାନେ ଅଧିକ ସୁଧରେ ଅଡ଼ତିୟାଙ୍କଠାରୁ ଋଣ ନେଉଛନ୍ତି ସେମାନେ ଋଣଯନ୍ତାରେ ଏପରି ପଡିଯାଉଛନ୍ତି ଯେ, ଋଣମୁକ୍ତ ହୋଇପାରୁନାହାନ୍ତି। ପଞ୍ଜାବରେ ଚାଷୀ ଆମତ୍ହତ୍ୟାର ବିିଭିନ୍ନ କାରଣ ମଧ୍ୟରୁ ଏହି ଅଡ଼ତିୟାଙ୍କଠାରୁ ନେଇଥିବା ଋଣ ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଏହି ଅଡ଼ତିୟାମାନେ ବିଭିନ୍ନ ରାଜନୈତିକ ଦଳର ପୃଷ୍ଠପୋଷକ। କୁହାଯାଏ, ଏମାନେ ସେମାନଙ୍କର ଭୋଟ ବ୍ୟାଙ୍କକୁ ମଜଭୁତ କରନ୍ତି। ତା’ଛଡ଼ା କୁହାଯାଏ କେତେକ ନେତା ସେମାନଙ୍କର ବଳକା ଅର୍ଥକୁ ଏହି ଅଡ଼ତିୟାଙ୍କ ମାଧ୍ୟମରେ ଋଣରେ ନିବେଶ କରି ସୁଧ ପାଆନ୍ତି। ପଞ୍ଜାବରେ ଅଡ଼ତିୟା ବ୍ୟବସ୍ଥା ଏକ ବିଷଚକ୍ର ସୃଷ୍ଟି କରି ପଞ୍ଜାବର ଗ୍ରାମ୍ୟ ଅର୍ଥନୀତି ଓ ରାଜନୀତିକୁ କବଳିତ କରି ରଖିଛି। ଏ କ୍ଷେତ୍ରରେ ଅଡ଼ତିୟାଙ୍କ ଆୟ କମିଗଲେ ସମସ୍ତ ରାଜନୈତିକ ଦଳ ଆଗଭର ହୋଇ ଆସୁଛନ୍ତି ଅଡ଼ତିୟାମାନଙ୍କର ସ୍ବାର୍ଥରକ୍ଷା କରିବା ପାଇଁ। ବର୍ତ୍ତମାନର କୃଷକ ଆନ୍ଦୋଳନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅଡ଼ତିୟାମାନେ ପ୍ରଭାବିତ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।
ପଞ୍ଜାବରେ ଏହି ଅଡ଼ତିୟା ବ୍ୟବସ୍ଥା ହରିୟାଣା ବ୍ୟତୀତ ଅନ୍ୟ ରାଜ୍ୟରେ ନାହିଁ। ସେସବୁ ରାଜ୍ୟର ସମସ୍ୟା ଭିନ୍ନ। ଆମ ରାଜ୍ୟ ଓଡ଼ିଶାରେ ଚାଷୀ ତା’ର ଉପତ୍ାଦିତ ଦ୍ରବ୍ୟର ଠିକ ମୂଲ୍ୟ ନ ପାଇବାରେ ଏପିଏମ୍ସି ମଣ୍ଡି ବ୍ୟବସ୍ଥାର ଅପାରଗତା ଓ ଆଇନ୍କାନୁନ୍ ମୁଖ୍ୟତଃ ଦାୟୀ। ଏହାର ସୁଧାର ପାଇଁ ନୂତନ କୃଷି ଆଇନ ସହାୟକ ହେବ ବୋଲି ଆଶା କରାଯାଉଥିବା ବେଳେ ଆମ ରାଜ୍ୟର କେତେକ କୃଷକ ସଂଗଠନ ଦିଲ୍ଲୀ ଯାଇ କୃଷକ ଆନ୍ଦୋଳନରେ ଯୋଗଦେଇଛନ୍ତି। କିନ୍ତୁ ଆମର ସମସ୍ୟା କ’ଣ ତା’ର ବିକଳ୍ପ, କ’ଣ ହେବା ଉଚିତ ତାହାର ବିକଳ୍ପ କଥା କହୁନାହାନ୍ତି। ସେମାନେ କ’ଣ ଚାହୁଁଛନ୍ତି ଗତ ୭୩ ବର୍ଷର ଏପିଏମ୍ସି ବ୍ୟବସ୍ଥା ସେହିପରି ଚାଲୁ? ଗତ କେତେବର୍ଷ ତଳେ ଓଡ଼ିଶାର ଏକ କୃଷକ ସଂଗଠନ କୃଷକମାନଙ୍କର ଦାବି ଜଣାଇବା ପାଇଁ ରାଜଧାନୀରେ ଏକ କୃଷକ ସମାବେଶ ଆୟୋଜନ କରିଥିବାବେଳେ ସେମାନଙ୍କୁ ସରକାର ରାଜଧାନୀରେ ପୂରାଇ ଦେଲେ ନାହଁି ଏବଂ ସେମାନଙ୍କ ନେତାଙ୍କୁ ରାତିଅଧିଆ ଗିରଫ କରିନେଲେ। ସେତେବେଳେ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ଓ ଓଡ଼ିଶାର ଅନ୍ୟ କୃଷକ ସଂଗଠନ ତା’ର କି ପ୍ରତିବାଦ କଲେ । ଆଜି କିନ୍ତୁ ସମସ୍ତ ବିରୋଧୀ ଦଳ, ଓଡ଼ିଶାର ପ୍ରମୁଖ ଚାଷୀ ସଂଗଠନ ଦିଲ୍ଲୀ- ପଞ୍ଜାବର କୃଷକମାନଙ୍କର ଆହ୍ବାନରେ ଦିଲ୍ଲୀରେ ହାଜର। ଯେଉଁ କୃଷକ ସଂଗଠନକୁ ଓଡ଼ିଶା ସରକାର ରାଜଧାନୀରେ ପୂରାଇଦେଉ ନ ଥିଲେ ସେମାନେ ବି ଦିଲ୍ଲୀରେ ହାଜର । ସେମାନଙ୍କୁ କେଉଁ ରାଜ୍ୟର କୃଷକ ସଂଗଠନ ସାହାଯ୍ୟର ହାତ ବଢ଼ାଇଥିଲେ ସେ ଦିନ?
ବର୍ତ୍ତମାନର ଆନ୍ଦୋଳନରେ ଚାଷୀମାନଙ୍କ ଆୟବୃଦ୍ଧି ପାଇଁ ଯେତିକି ଦରଦ ନାହିଁ ନିଜ ନିଜ ଗୋଷ୍ଠୀର ଅଧିକ ସ୍ବାର୍ଥ ହାସଲ ପାଇଁ ଦରଦ ଅଛି। ବର୍ତ୍ତମାନର ଭାଜପା ଲୋକ ସଭା, ବିଭିନ୍ନ ବିଧାନସଭା ଓ ସ୍ଥାନୀୟ ସ୍ବାୟତ୍ତ ଶାସନ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳକୁ ହରାଇ ଜୟଯୁକ୍ତ ହେଉଥିବାରୁ ଏହା ସ୍ବାଭାବିକ ଯେ, ବିରୋଧୀଦଳଗୁଡ଼ିକ ନିଜ ନିଜର ସ୍ଥିତି ରକ୍ଷା ପାଇଁ ଏକ ସୁଯୋଗ ପାଇଛନ୍ତି କୃଷକ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇ ସରକାରଙ୍କ ମନୋବଳକୁ ଭାଙ୍ଗିବା ପାଇଁ। ସମସ୍ତ ରାଜନୈତିକ ଦଳ ଓ ରାଜନେତାମାନେ ସ୍ବାଧୀନତା ପର ଚାଷୀକୁ ମୋହରା କରି ନିଜ ନିଜର କ୍ଷମତା ଆକାଂକ୍ଷାକୁ ପୂରଣ କରିବାକୁ ଚେଷ୍ଟା କରିଛନ୍ତି। ଚାଷୀର ଆୟ ତୁଳନାମତ୍କ ଭାବେ କମି କମି ଚାଲିଛି ଯଦିଓ ଉପତ୍ାଦନ ଚାଷୀ ବୃଦ୍ଧି କରିଛି। ଦେଖାଯାଉ ଏହି ଆନ୍ଦୋଳନ କି ରୂପ ନେଉଛି ଆଉ ଚାଷୀମାନେ କିପରି ଉପକୃତ ହେଉଛନ୍ତି।
ଏ ୫୦୨, ମୋତିବ୍ଲକ, ତେଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର
ଭୁବନେଶ୍ୱର, ମୋ: ୯୯୩୭୯୫୧୨୬୨