Categories: ଗଞ୍ଜାମ

କୃଷକ ସଭାର ଗଣଧାରଣା

ଛତ୍ରପୁର,୮ା୬(ଡି.ଏନ୍‌.ଏ.)- ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ଛତ୍ରପୁର ସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦିଆଯାଇଥିଲା। ଏଠାରେ ବିଭିନ୍ନ ଦାବି ଉପସ୍ଥାପନ ହୋଇଥିଲା। ପରେ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ବନବାସୀମାନଙ୍କୁ ଜଙ୍ଗଲ ଅଧିକାର ପାଇବା ପାଇଁ ତଦନ୍ତ କରି ପଟ୍ଟା ପ୍ରଦାନ, କୋଦଳା ତହସିଲ ଅଧୀନ ବାଳସିଙ୍ଗି, ବୋରବୋରା, ମାରିଡିପଲି, ଲୁହାକୋଟ, ବେରୁଆଁବାଡ଼ି, ମଣିପୁର, ଯାପଟା, ଯାପଟା କଲୋନୀ ବାସିନ୍ଦାଙ୍କୁ ଜଙ୍ଗଲ ଅଧିକାର ଆଇନରେ ପଟ୍ଟା ଦେବା, ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଣ, ଆଦିବାସୀ, ହରିଜନ, ଚାଷୀ ଓ ଶ୍ରମିକଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ, ବିନା ମୂଲ୍ୟରେ ସାର, ବିହନ ଓ ଔଷଧ ଦେବା ଏବଂ ଫସଲବୀମା ବାବଦରେ କ୍ଷତିପୂରଣ ପ୍ରଦାନ ଆଦି ରହିଛି। ଏଥିରେ କମିଟିର ଜିଲା ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀ, ସିପିଏମ୍‌ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, ପ୍ରଭାକର ବେହେରା, ପଦ୍ମନାଭ ପ୍ରଧାନ, କାଳୁ ଦାଶ, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।