Categories: ବାଣିଜ୍ୟ

କୃଷିଋଣ ପରିଶୋଧ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ଲକ୍‌ଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃ ପରିଶୋଧ ଅବଧି ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିଛନ୍ତି। ଏହା ସ୍ବଳ୍ପକାଳୀନ ସମୟ ଅବଧି ଋଣ ଉପରେ ଲାଗୁ ହୋଇପାରିବ। ୩୧ ମେ ୨୦୨୦ ପର୍ଯ୍ୟନ୍ତ ୨% ସୁଧଛାଡ଼ ଏବଂ ଚାଷୀଙ୍କୁ ୩% ତୁରନ୍ତ ପରିଶୋଧ ରିହାତି (ପିଆଇଆଇ) ଦେୟା ଅବଧି ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଫସଲ ଋଣ ଉପରେ ଏହି ସୁବିଧା ମିଳିବ। ୧ ମାର୍ଚ୍ଚରୁ ୩୧ ମେ ଅବଧି ପର୍ଯ୍ୟନ୍ତ ଦେୟଯୋଗ୍ୟ ଥିବା ଋଣ ଉପରେ ଏହି ରିହାତି ପ୍ରଦାନ କରାଯିବ। ଏବେ କଟକଣା ଲାଗି ଥିବାରୁ ଲୋକମାନେ ସେମାନଙ୍କ ଋଣ ପଇଠ କରିବାକୁ ଶାଖାକୁ ଯାଇ ପାରୁନାହାନ୍ତି। ଏହାବାଦ୍‌ କୃଷି ଉତ୍ପାଦ ମଧ୍ୟ ଠିକ୍‌ ସମୟରେ ବିକ୍ରି ହୋଇପାରୁନାହିଁ ଫଳରେ ଚାଷୀଙ୍କୁ ଅର୍ଥ ରାଶି ମିଳିପାରୁନାହିଁ। ଏଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଚାଷୀଙ୍କ ଲାଗି ସୁବିଧା ଘୋଷଣା କରିଛନ୍ତି। ଚାଷୀମାନେ ୩୧ ମେ ୨୦୨୦ ପର୍ଯ୍ୟନ୍ତ ଏଭଳି ଋଣ ଉପରେ ବାର୍ଷିକ ୪.୦% ସୁଧହାରରେ ଋଣ ପରିଶୋଧ ଲାଗି ଅତିରିକ୍ତ ସମୟ ପାଇପାରିବେ। ଏଥିଲାଗି ସେମାନଙ୍କୁ କୌଣସି ଜରିମାନା ଦେବାକୁ ପଡିବ ନାହିଁ। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ବ୍ୟାଙ୍କଗୁଡିକ ପକ୍ଷରୁ ୨% ସୁଧ ରିହାତି ସୁବିଧା ଦେଉଛନ୍ତି। ଏହାଛଡା ନିର୍ଦ୍ଧାରିତ ସମୟରେ ଋଣ ପଇଠ ଉପରେ ଚାଷୀଙ୍କୁ ୩% ଅତିରିକ୍ତ ରିହାତି ସୁବିଧା ଦିଆଯାଉଛି। ଏହାଫଳରେ ଚାଷୀମାନେ ୪% ବାର୍ଷିକ ସୁଧହାରରେ କ୍ଷୁଦ୍ର ମିଆଦୀ ଋଣ ପାଇବାରେ ସକ୍ଷମ ହେଉଛନ୍ତି।

Share