କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣକୁ ଅଗ୍ରାଧିକାର

ଭୁବନେଶ୍ୱର,୧୫-୧(ବ୍ୟୁରୋ): କୃଷିର ସର୍ବାଙ୍ଗୀନ ଉନ୍ନତି ତଥା କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକ୍ରମ ନିଆଯାଉଛି। ନିକଟ ଅତୀତରେ ହୋଇଥିବା ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ନେଇ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଜାରି କରାଯାଇଛି। ବିଶେଷ କରି ଉତ୍ପାଦିତ କୃଷିଜାତ ବଜାର ସଂଯୋଗୀକରଣକୁ ଗୁରୁତ୍ୱ ଦିଆଯାଇଛି।
ଏଥିରେ ‘କାଳିଆ’କୁ ୨୦୧୯ ମସିହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ଯୋଜନା ବୋଲି ଅଭିହିତ କରାଯାଇଛି। ମୋଟ ୪୭,୭୯,୩୮୧ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ୩୧,୯୬,୫୫୬ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୫,୮୨, ୮୨୫ ଜଣ ଭୂମିହୀନ କୃଷିଶ୍ରମିକ ରହିଥିଲେ। ଓଡ଼ିଶା ମିଲେଟ୍‌ ମିଶନର ସଫଳତା ଆଧାରରେ ଭାରତ ସରକାର ପୁଷ୍ଟିଶସ୍ୟ ସଂକ୍ରାନ୍ତରେ ମାର୍ଗଦର୍ଶିକାକୁ ସଂଶୋଧନ କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ନୀତି ଆୟୋଗ ଦ୍ୱାରା ଓଡ଼ିଶା ମିଲେଟ୍‌ ମିଶନ ଢାଞ୍ଚାରେ ମାଣ୍ଡିଆ ଚାଷକୁ ଅନ୍ୟ ରାଜ୍ୟରେ ପ୍ରଚଳନ ପାଇଁ ପ୍ରୋତ୍ସାହିତ କରାଯାଉଛି। ପ୍ରଥମଥର ପାଇଁ ୨୦୧୮-୧୯ରେ ୧୭,୯୮୫ କୁଇଣ୍ଟାଲ୍‌ ରାଗି ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରେ ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଇଛି। ଜଳନିଧି ଯୋଜନାରେ ୨୦୧୯-୨୦ରେ ୨୮୦୦ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ୬୬୦୫ ହେକ୍ଟର ଜମିକୁ ଜଳସେଚନ ଯୋଗାଇବାର କ୍ଷମତା ସୃଷ୍ଟି କରାଯାଇଛି। କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାରେ ୫୫୪ଟି ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇ ୫୫,୨୦୦ କୃଷକ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି। ୧୨ଟି ଜନଜାତି ଅଧ୍ୟୁଷିତ ଜିଲାର ୪୦ଟି ପଛୁଆ ବ୍ଲକ୍‌ରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଏବଂ ୩୦ କୃଷି ଉତ୍ପାଦକ କ୍ଲଷ୍ଟର ବା ଉତ୍ପାଦକ କମ୍ପାନୀ ଆଗାମୀ ୪ ବର୍ଷ ମଧ୍ୟରେ ଗଠନ କରାଯିବାର ଲକ୍ଷ୍ୟ ରହିଛି। ନିକଟରେ ‘ସମୃଦ୍ଧି-କୃଷିନୀତି ୨୦୨୦’ ପ୍ରଣୟନ କରାଯାଇଛି। ୬୦ଟି କୃଷି ଯୋଜନାକୁ ଡିଜିଟାଇଜେଶନ୍‌ କରାଯାଇଛି। ଚାଷୀମାନଙ୍କୁ ବିଶେଷଜ୍ଞମାନଙ୍କ ଦ୍ୱାରା ସମୟ ଉପଯୋଗୀ କୃଷି ସେବା ଓ ପରାମର୍ଶ ପାଇଁ ‘ଆମ କୃଷି’ ମୋବାଇଲ୍‌ ସେବା ଯୋଗାଇ ଦିଆଯାଇଛି। ଏଥିରେ ରାଜ୍ୟର ପ୍ରାୟ ୬.୨୪ ଲକ୍ଷ ଚାଷୀଙ୍କୁ ସଂଯୁକ୍ତ କରାଯାଇଛି।

Share